ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ଯେପରି ମତ ଦେଇଛନ୍ତି, ତାହା ଦୁଃଖଦାୟକ। ବର୍ତ୍ତମାନ ସ୍ଥିତିରେ ବିଜେପି ଓ ଶ୍ରୀ ଶାହଙ୍କ ପାଖରେ ନିର୍ବାଚନ ପାଇଁ କୌଣସି ପ୍ରସଙ୍ଗ ନାହିଁ। ତେଣୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ହୀନ ଉଦ୍ୟମ ଚଳାଇଛନ୍ତି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମକୁ ଶ୍ରୀ ଦେବ କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଶ୍ରୀ ଶାହଙ୍କ ରାଜନୀତି କରିବାର ଚେଷ୍ଟା ଘୋର ନିନ୍ଦନୀୟ ଓ ହୀନ ରାଜନୀତିର ପରିଚାୟକ। ମହାପ୍ରଭୁ ଓ ଭକ୍ତଙ୍କ ଭାବାବେଗକୁ ନେଇ ରାଜନୀତି କରିବାକୁ ଯିଏ ଚେଷ୍ଟା କରିଛି, ସେ ତଳିତଳାନ୍ତ ହୋଇଯାଇଛି। ଅନ୍ୟ ପକ୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଦେଇଛନ୍ତି ବୋଲି ଶ୍ରୀ ଶାହଙ୍କ ମନ୍ତବ୍ୟରେ କୌଣସି ତଥ୍ୟ ନାହିଁ। ଗତ ୪ ବର୍ଷ ହେଲା ବିଜେପି ଏପରି ଅଦ୍ଧସତ୍ୟ କହି ଚାଲିଛି। ଏନ୍ଡିଏ ସରକାର ଆସିବା ପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଅଂଶକୁ ବଦଳାଇ ସଂଘୀୟ ବ୍ୟବସ୍ଥାଗତ ତ୍ରୁଟି ଆଣି ରାଜ୍ୟ ଉପରେ ଆର୍ଥିକ ବୋଝ ଲଦି ଦେଇଛନ୍ତି। ପ୍ରକୃତ ସତ୍ୟ କ’ଣ, ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। କିଏ ସତ ଓ କିଏ ମିଛ କହୁଛି, ତାହା ୨୦୧୯ ସାଧାରଣ ନିର୍ବାଚନରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ଦେବ କହିଛନ୍ତି।