ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବିଭିନ୍ନ ପର୍ଯ୍ୟାୟ ଆନ୍ଦୋଳନକୁ ସମାଲୋଚନା କରିଛି ବିଜେଡି। ଏହା ବିଜେପିର ଭୟ ଓ ଆଶଙ୍କାକୁ ପ୍ରକାଶ କରୁଛି ବୋଲି ବିଜେଡି ଆରୋପ ଲଗାଇଛି। ଦଳ ପାଲଟା ଅଭିଯୋଗ କରିଛି, ବିଜେପି ଭଲ ଭାବେ ବୁଝିସାରିଲାଣି ଯେ ସାରା ଭାରତରେ ପରିବର୍ତ୍ତନର ସୁଅ ଛୁଟିଲାଣି ଓ ଏହି ସୁଅରେ ବିଜେପି ଭାସିଯିବ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କହିଛନ୍ତି, ବିଜେପି ଯେଉଁ ଜନଜାଗରଣ ଆନ୍ଦୋଳନ କରିବାକୁ ଯାଉଛି, ତାହା ବାସ୍ତବରେ ଜୁମ୍ଲା ବୋଲ୍ ଆନ୍ଦୋଳନରେ ପରିଣତ ହେବ। ବିଗତ ସାଢ଼େ ଚାରି ବର୍ଷ ହେଲା ବିଜେପି ଜନସାଧାରଣଙ୍କୁ ଫମ୍ପା ମାଠିଆ ପରି ଫମ୍ପା ସ୍ବପ୍ନ ଓ ଜୁମ୍ଲାରେ ପ୍ରଭାବିତ କରି ଆସୁଥିଲା। ୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବ ବୋଲି ବିଜେପି ଯେଉଁ ପ୍ରତିଶ୍ରୁତି ରଖିଥିଲା, ତାହା ଏବେ ପାଣିରେ ଗାର ହୋଇଛି। ଶାସନକୁ ଆସିଲା ପରେ ପ୍ରତିଶ୍ରୁତିକୁ ଭୁଲିଯିବା ବିଜେପିର ଅଭ୍ୟାସରେ ପରିଣତ ହୋଇଛି। କଳାଧନ ପ୍ରସଙ୍ଗ ହେଉ କିମ୍ବା ତୈଳ ଦରବୃଦ୍ଧିର ନିୟନ୍ତ୍ରଣ ହେଉ, ଏପରିକି ଓଡ଼ିଶାକୁ କେନ୍ଦ୍ର ଦେଉଥିବା ଅନୁଦାନ କାଟ୍ ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ବିଜେପିର ପ୍ରତାରଣା ଓଡ଼ିଶାବାସୀ ଅନୁଭବ କରିଛନ୍ତି। ବିଜେଡି ଅନେକ ବର୍ଷ ହେଲା ଜନସମ୍ପର୍କ ପଦଯାତ୍ରା ଦ୍ବାରା ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିପାରିଛି। ବିଜେପି ଏବେ ଏହାକୁ ଅନୁକରଣ କରୁଛି। ବିଜେପିର ଏହି ଜନଜାଗରଣ ଯାତ୍ରା ତାଙ୍କ ବିଫଳତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା ବୋଲି ଶ୍ରୀ ପାତ୍ର କଟାକ୍ଷ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sas.jpg)