ବିଜେପି ଭୟଭୀତ ଓ ଦେବାଳିଆ: ବିଜେଡି

ଭୁବନେଶ୍ବର : ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଗୃହୀତ ହୋଇଥିବା ରାଜନୈତିକ ଚିଠା ପ୍ରସ୍ତାବକୁ ଭିତ୍ତିହୀନ ବୋଲି କହିଛି ବିଜେଡି। ଏଥିରୁ ବିଜେପି ଭୟଭୀତ ଓ ବୌଦ୍ଧିକ ସ୍ତରରେ ଦେବାଳିଆ ହୋଇଥିବା ଜଣାପଡ଼ୁଛି। ବିଜେଡି ସରକାରର ୧୮ ବର୍ଷର ସୁଶାସନ ଯୋଗୁ ବିଜେପି ପ୍ରସଙ୍ଗହୀନ ହୋଇଯାଇଛି। ସେଥିପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଏପରି ପ୍ରସ୍ତାବ ପାରିତ କରିଛି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି, ବିଜେପି ଯେଉଁ ଯୋଜନା କଥା ଉଠାଇଛି ସେଥିରେ ରାଜ୍ୟର ମହିଳାମାନଙ୍କ ସଶକ୍ତିକରଣ ହୋଇଛି, ଖାଦ୍ୟ ସୁରକ୍ଷାରେ ବୃଦ୍ଧି ଘଟିଛି, ଯୁବ ସଶକ୍ତିକରଣ ହୋଇଛି ଓ ଗାଁକୁ ବିକାଶର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଓଡ଼ିଶାର ଗାଁମାନଙ୍କ ସହ ଯୋଡ଼ି ହୋଇ ରାଜ୍ୟର ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜୁ ଯୁବ ବାହିନୀ ଦ୍ବାରା ନେତୃତ୍ବ ବୃଦ୍ଧି ଓ ଯୁବ ସଶକ୍ତିକରଣ କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ର ଦ୍ବାରା ବାଦ୍‌ ପଡ଼ିଥିବା ୫୦ ଲକ୍ଷ ଓଡ଼ିଶାବାସୀଙ୍କୁ ମିଶାଇ ସାଢ଼େ ତିନି କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଛି।

ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ଶ୍ରୀ ପାତ୍ର କହିଛନ୍ତି, ଭ୍ରଷ୍ଟାଚାର ଉପରେ ବିଜେପିର ମତ ରଖିବାର କୌଣସି ନୈତିକ ଅଧିକାର ନାହିଁ। ଗତ ୪ ବର୍ଷ ମଧ୍ୟରେ ବ୍ୟାଙ୍କ କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ନୀତି ହୋଇଛି। ହଜାର ହଜାର କୋଟି ଟଙ୍କାର ଜାଲିଆତି କରି ବଡ଼ ବଡ଼ ଶିଳ୍ପପତିମାନେ ବିଜେପି ହାତରୁ ଖସିଯାଇ ବିଦେଶରେ ଅୟସ କରୁଛନ୍ତି। ଖଣି, ଚିଟ୍‌ଫଣ୍ଡ୍‌ ଦୁର୍ନୀତି ସର୍ବୋଚ୍ଚ ନ୍ୟାୟାଳୟ ଓ ସିବିଆଇ ଦ୍ବାରା ତଦନ୍ତ କରାଯାଉଥିଲା ବେଳେ ବିଜେପି ଅଭିଯୋଗ ଆଣିବା ହତାଶାଭାବକୁ ପ୍ରତିପାଦିତ କରୁଛି। ୨୦୧୯ ନିର୍ବାଚନରେ ବିଜେପିର ଏହି ଭିତ୍ତିହୀନ ଅଭିଯୋଗଗୁଡ଼ିକ ପାଣି ଫୋଟକା ପରି ମିଳାଇଯିବ ବୋଲି ବିଜେଡି ଜୋର୍ ଦେଇଛି।

ସମ୍ବନ୍ଧିତ ଖବର