ଓଟିଭିକୁ ବିଜେଡିର ନା

ପକ୍ଷପାତିତା କରୁଛି, ସରକାର ଓ ଦଳକୁ ବଦନାମ କରୁଛି
ଓଟିଭିର ଖଣ୍ଡନ, ସଫେଇ ରଖିଲେ ବୈଜୟନ୍ତ

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଆରୋପ-ପ୍ରତ୍ୟାରୋପ ଲାଗି ରହିଥିଲା। ଶେଷରେ ଓଟିଭିକୁ ବିଜୁ ଜନତା ଦଳ ଆଜି ବୟକଟ୍‌ କରିଛି। ବିଜେଡି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ନେଇ ଘୋଷଣା କରିଛନ୍ତି। କହିଛନ୍ତି, ବିଜୁ ଜନତା ଦଳର ଭାବମୂର୍ତିକୁ ମଳିନ କରିବା ଲାଗି ଏହି ଚ୍ୟାନେଲରେ ସୁଚିନ୍ତିତ ଭାବେ ଖବର ପରିବେଷଣ ହେଉଛି। ପ୍ରସଙ୍ଗ ଭିତ୍ତିକ ଆଲୋଚନା ବେଳେ ବିଜେଡି ମୁଖପାତ୍ର ଓ ପ୍ୟାନେଲିଷ୍ଟ ମାନଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ନ୍ୟୁନତମ ସମୟ ମଧ୍ୟ ଆଙ୍କର ମାନେ ଦେଉନାହାନ୍ତି। ବରଂ ପକ୍ଷପାତିତା ଅବଲମ୍ବନ କରୁଛନ୍ତି। ଏଣୁ ବିଜେଡି ନେତାମାନେ ଏଠାକୁ ଯିବେ ନାହିଁ କିମ୍ବା କୌଣସି ଆଲୋଚନାରେ ଭାଗ ନେବେ ନାହିଁ।

ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ କହିଛନ୍ତି, ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ। ଏହି ଚ୍ୟାନେଲ ରାଜ୍ୟ ସରକାର ଓ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି। ବିତର୍କ ସମୟରେ ବିଜେଡିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ଗତ କିଛି ମାସ ଧରି ଏଭଳି ପରିସ୍ଥିତି ସୃଷ୍ଟି କରୁଛି। ଏହା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଚ୍ୟାନେଲ ହୋଇଥିବାରୁ କେବଳ ତାଙ୍କ ଖବରକୁ ଗୁରୁତ୍ୱ ଦିଆଯାଉଛି ଓ ଅନ୍ୟ ୩୦ ଜଣ ସାଂସଦ କିମ୍ବା ୧୪୭ ବିଧାୟକଙ୍କୁ ନୁହେଁ।। କେବଳ ବିଜେଡି ଏକଥା କହୁନି, ବରଂ ଓଟିଭି ଦର୍ଶକମାନେ ଏହି ଚାନେଲର ତର୍କନେଇ କରିଥିବା ଟୁଇଟ୍‌ ଗୁଡିକରେ ନିରପେକ୍ଷତା ଅଭାବ ଅନୁଭବ କରୁଥିବା ଦର୍ଶାଇବା ସହ ଆଙ୍କରମାନଙ୍କ ପକ୍ଷପାତିତା ନେଇ ଅଙ୍ଗୁଳି ଉଠାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବହୁ ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକ ଓ ଯୁବକ ଯୁବତୀ ଓଟିଭି କରୁଥିବା ପକ୍ଷପାତ ଓ ବିଜେଡିକୁ ଉଚିତ୍‌ ଦୃଷ୍ଟିରେ ଦେଖୁନଥିବାର ତୀବ୍ର ସମାଲୋଚନା କରିଛନ୍ତି।

ବିଜୁ ଜନତା ଦଳ ସଦା ସର୍ବଦା ପ୍ରେସ୍‌ ସ୍ୱାଧୀନତା ଓ ନିରପେକ୍ଷ ମତାମତକୁ ସମ୍ମାନ ଦେଇ ଆସିଛି ଓ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ବିଜେଡି କହିଛି। ଆଜି ସାଂସଦ ଶ୍ରୀ ଦେବଙ୍କ ସହ ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ ଏବଂ ବିଜେଡି ନେତା ସୁବାସ ସିଂ ଉପସ୍ଥିତ ଥିଲେ।

ବିଜେଡିର ଏଭଳି ଅଭିଯୋଗ ଉପରେ ଓଟିଭି ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। କେବଳ ସେିତିକି ନୁହେଁ, ଖୋଦ୍‌ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏ ସଂପର୍କରେ ନିଜର ସଫେଇ ରଖିଛନ୍ତି। ଓଟିଭି ପକ୍ଷରୁ କୁହାଯାଇଛି, ସଂସ୍ଥା ସବୁବେଳେ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଆସିଛି। ଖବରର ସବୁ ଦିଗକୁ ତର୍ଜମା କରିବା ସହ ସବୁ ପକ୍ଷକୁ ନଜର ଦିଆଯାଇଥାଏ। ଯେଉଁ ଖବର ପରିବେଷଣ କରାଯାଏ, ସେଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଅଥବା ସରକାର କି ବିରୋଧୀ କାହାର ସ୍ୱାର୍ଥ ନୁହେଁ ବରଂ ଦର୍ଶକଙ୍କୁ ନିରପେକ୍ଷ ଖବର ଦେବାର ପ୍ରତିଶ୍ରୁତି ହିଁ ସର୍ବାଗ୍ରେ ରହିଥାଏ।

ଅନ୍ୟପକ୍ଷରେ ସାଂସଦ ଶ୍ରୀ ପଣ୍ଡା ତତ୍କାଳ ନିଜର ସଫେଇରେ କହିଛନ୍ତି, ସମ୍ପାଦକୀୟ ମଣ୍ଡଳୀ ନିଷ୍ପତ୍ତିରେ ମୋର କିଛି ଭୂମିକା ନଥାଏ। ଓଡ଼ିଶାର ସର୍ବବୃହତ ଗଣମାଧ୍ୟମ, ପେସାଦାର ଓ ନିରପେକ୍ଷ ପ୍ଲାଟଫର୍ମ ପାଇଁ ଓଟିଭି ସର୍ବାଦୃତ। ଏହା କେବେ କାହାର କଣ୍ଠରୋଧ କରେନି। ଶ୍ରୀ ପଣ୍ଡା ଏହି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଟାଣିଛନ୍ତି। କହିଛନ୍ତି ଯେ ତାଙ୍କ ସଂପର୍କରେ ଖବର ପ୍ରସାରଣ ହୋଇଥିଲା। ପ୍ରସାରିତ ଖବର ଉପରେ ପାଣ୍ଡିଆନ ମତ ରଖିବା ଉଚିତ ଥିଲା। ପକ୍ଷପାତିତା ଅଭିଯୋଗ ଆଣିବା ପରିବର୍ତ୍ତେ ସେମାନେ ନିଜର ମତ ରଖନ୍ତୁ।

ସମ୍ବନ୍ଧିତ ଖବର