ବିଜେଡି ଆଦିବାସୀଙ୍କ ସ୍ୱାର୍ଥର ପ୍ରହରୀ: ନବୀନ

ଆଦିବାସୀ ପ୍ରତିନିଧି ସମାବେଶ

ଭୁବନେଶ୍ୱର : ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଦିବାସୀଙ୍କ ସ୍ୱାର୍ଥର ପ୍ରହରୀ ଭାବେ ବିଜେଡି କାମ କରୁଛି। ଏହାର ଉଦାହରଣ ହେଉଛି ଗୁରୁପ୍ରିୟା ସେତୁ। ଜନଜାତି ବହୁଳ ଅଞ୍ଚଳରେ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ସେବାରେ ବିକାଶ, ଶିକ୍ଷାର ପ୍ରସାର ସହିତ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଦଳ କାମ କରୁଛି। ଏହାର ସୁଫଳ ମିଳିବା ଆରମ୍ଭ ହୋଇଛି ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ବିଶ୍ୱ ଆଦିବାସୀ ଦିବସ ଅବସରରେ ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ଆୟୋଜନ କରାଯାଇଥିଲା। ଏହାକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ଶିକ୍ଷା ହେଉଛି ବିକାଶର ସବୁଠାରୁ ବଡ଼ ମାନଦଣ୍ଡ। ତେଣୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଯାହାର ଫଳସ୍ୱରୂପ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି। ବିଜେଡି ସବୁବେଳେ ଜନଜାତି ଭାଇଭଉଣୀଙ୍କ ପାଇଁ କାମ କରୁଛି ଓ ଆଗକୁ କରିଚାଲିବ ବୋଲି ସେ କହିଥିଲେ।

ବିଜେଡି ଜନଜାତି ସାମ୍ମୁଖ୍ୟର ରାଜ୍ୟ ଆବାହକ ବିଧାୟକ ସୁଦାମ ମାରାଣ୍ଡି, ମନ୍ତ୍ରୀ ରମେଶ ମାଝୀ, ଉପସଭାପତି ବିଧାୟକ ବଳଭଦ୍ର ମାଝୀ, ସାଂସଦ ଝିନ୍ନ ହିକ୍‌କା, ସାଧାରଣ ସମ୍ପାଦକ ସୁବାସ ଗଣ୍ଡ, ବିଧାୟକ ଲାଲବିହାରୀ ହିମିରିକା ଓ ମୟୂରଭଞ୍ଜ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ଆଦିବାସୀ ଉନ୍ନୟନ ପରିଷଦ ଗଠନ କରାଯାଇଛି। ଅଗଷ୍ଟ ୧୩ ତାରିଖ ମଧ୍ୟରେ ବିଜେଡି ଏହି ଜିଲ୍ଲାଗୁଡ଼ିକରେ ପର୍ଯ୍ୟାୟକ୍ରମେ ଜିଲ୍ଲାସ୍ତରୀୟ ସମାବେଶ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର