୨୭ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ମନା କରିଦେଲା ପରେ ବିଜେଡି ଏହାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୭ ତାରିଖରେ ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ କଲେ, ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଲେ, ଓଡ଼ିଶାର ଧାନ ଚାଷୀଙ୍କୁ ଅଧିକ ଏମ୍‌ଏସ୍‌ପି ପ୍ରଦାନ ପାଇଁ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରୁଛନ୍ତି। ଆମ ବ୍ୟବସ୍ଥାରେ କୃଷିଜାତ ସମାଗ୍ରୀ ଏମ୍‌ଏସ୍‌ପି କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଦାବିକୁ କ୍ରମାଗତ ଉପେକ୍ଷା କରି ଧାନର ଏମ୍‌ଏସ୍‌ପି ବୃଦ୍ଧି କରାଯାଉ ନାହିଁ। ଏପରିକି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଉ ନାହାନ୍ତି। କ୍ୱିଣ୍ଟାଲ୍‌ ପିଛା ଧାନର ଏମ୍‌ଏସ୍‌ପି ୧୫୫୦ ଟଙ୍କା ଯଥାର୍ଥ ବୋଲି କହୁଛି କେନ୍ଦ୍ର କୃଷି ମନ୍ତ୍ରଣାଳୟ। ଏହା ଚାଷ ଓ ଚାଷୀକୂଳ ପ୍ରତି ପ୍ରତାରଣା। ଏମ୍‌ଏସ୍‌ପି ବୃଦ୍ଧି ପାଇଁ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ବି ଦଳ ଭୁଲିଗଲାଣି। କେନ୍ଦ୍ର ସରକାରଙ୍କ ଏହି ଚାଷୀ ବିରୋଧୀ ଆଭିମୁଖ୍ୟ ବିରୋଧରେ ବିଜେଡି ଆନ୍ଦୋଳନ ଜାରି ରଖିବ। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସଞ୍ଜୀବ ସାହୁ ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର