ଭୁବନେଶ୍ୱର: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥି ପାଇଁ ଏନ୍ଡିଏ ଓ ୟୁପିଏ ମଧ୍ୟରେ ଅଙ୍କ କଷା ଚାଲିଛି। ଏହାରି ମଧ୍ୟରେ ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କର ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ନବୀନ କହିଛନ୍ତି ବିଜେଡି ଏନ୍ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ସିଂଙ୍କୁ ସମର୍ଥନ ଜଣାଇବ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ୍ରେ କଥାହୋଇଥିଲେ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଜାତୀୟ ରାଜନୀତିରେ ଲଢ଼େଇ ଆରମ୍ଭ ହୋଇଛି। ଉଭୟ ଏନ୍ଡିଏ ସରକାର ଓ ବିରୋଧୀ ମେଣ୍ଟ ଏହି ନିର୍ବାଚନକୁ ନିଜର ସମ୍ମାନର ପ୍ରଶ୍ନ ବୋଲି ଧରିନେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏହି ଲଢ଼େଇରେ ବିଜେଡି ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏନ୍ଡିଏ ଭରସା କରି ରହିଛିି। ନବୀନ ପଟ୍ଟନାୟକଙ୍କ ସହିତ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟେଲିଫୋନ ଯୋଗେ କଥା ହୋଇଥିଲେ। ଯେହେତୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂହ ଏନ୍ଡିଏ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି, ଏଣୁ ନୀତୀଶ ନବୀନଙ୍କ ସହିତ କଥା ହୋଇ ସମର୍ଥନ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁ, ବିଜେପି ସଂସଦୀୟ ଦଳ ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କ ସହିତ କଥା ହୋଇ ସମର୍ଥନ ଲୋଡିଥିବା ଖବର ମିଳିଛି।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରୋଚକ ମୋଡ଼ ନେଇଛି ଓ ସବୁ ରାଜନୈତିକ ଦଳ, ବିଶେଷଜ୍ଞ ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଛନ୍ତି। ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡିଛି। ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ହାସଲ କଲେ, ଜଣେ ପ୍ରାର୍ଥୀ ରାଜ୍ୟସଭାର ଏହି ଦୁଇ ନମ୍ବର ଆସନକୁ ଉନ୍ନୀତ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/bjd-1.jpg)