ନବୀନଙ୍କ ଦୃଢ଼ୋକ୍ତି : ମେଣ୍ଟ ହେବନି, ୧୧୭ରୁ ଅଧିକ ଜିତିବୁ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ ହେବ ନାହିଁ। ବିଜେଡି ଏକାକୀ ସାଧାରଣ ନିର୍ବାଚନରେ ଲଢ଼ିବ ଏବଂ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବ। ୧୧୭ ରୁ ଅଧିକ ସଂଖ୍ୟା ମଧ୍ୟ ଆଣିବ। ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘‘ଅ’’ ଓଡ଼ିଶା ସାହିତ୍ୟ ମହୋତ୍ସବର ଷଷ୍ଠ ସଂସ୍କରଣର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେବଳ ସେତିକି ନୁହେଁ ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ର ଏଡିଟୋରିଆଲ୍‌ ଡାଇରେକ୍ଟର ପ୍ରଭୁ ଚାଓ୍ଵଲାଙ୍କ ସହିତ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିସନ ୧୨୦ ଏକ ବୃଥା ଆସ୍ଫାଳନ। ସେପରି ଅବିଶ୍ୱସନୀୟ ବକ୍ତବ୍ୟରେ ସେ ବିଶ୍ୱାସ କରନ୍ତି ନାହିଁ।

ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଉପଯୁକ୍ତ ଯୋଜନା ଓ ଏହାର କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ ଦେଇଥାଏ। ଏହାବ୍ୟତୀତ ରାଜ୍ୟର ଜନସାଧାରଣଙ୍କ ପାଇଁ ତାଙ୍କ ସରକାର କରିଆସୁଥିବା ନିରନ୍ତର କଠିନ ପରିଶ୍ରମର ଫଳସ୍ୱରୂପ ୨୦୧୯ ନିର୍ବାଚନରେ ବିଜେଡି ସହଜରେ ପୁଣିଥରେ ସରକାର ଗଠନ କରିବ, ଏ ଆଶା ତାଙ୍କର ରହିଛି।

ରାଜନୈତିକ ନେତାମାନେ ପରସ୍ପର ବିରୋଧରେ କରୁଥିବା ଅଶାଳୀନ ବୟାନବାଜି ଓ ସର୍ବସାଧାରଣରେ ଦେଉଥିବା ହାଲ୍‌କା ମନ୍ତବ୍ୟକୁ ନାପସନ୍ଦ କରିଥିଲେ ମୁଖ୍ୟମନ୍ତ୍ରୀ। ନିକଟରେ ତାଙ୍କ ସରକାରର ଜଣେ ବରିଷ୍ଠ ମନ୍ତ୍ରୀ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଏହା ଗ୍ରହଣୀୟ ନୁହେଁ। ସଂପୃକ୍ତ ମନ୍ତ୍ରୀଙ୍କ ସହିତ ସେ ଏ ବିଷୟରେ ଆଲୋଚନା କରିଥିବା କହିଥିଲେ। ବ୍ୟକ୍ତିଗତ ଭାବରେ ସେ କୌଣସି ବ୍ୟକ୍ତିଙ୍କ ବିରୋଧରେ ପଦୁଟିଏ କହନ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଟୁଇଟ୍‌ର ରେ ଜୟ ଜଗନ୍ନାଥ କାହିଁକି ଲେଖନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ସେ ଆଧ୍ୟାତ୍ମିକତାରେ ବିଶ୍ୱାସ ରଖନ୍ତିି ଓ ଶ୍ରୀଜଗନ୍ନାଥଙ୍କୁ ଗଭୀର ବିଶ୍ୱାସ କରନ୍ତି।

ସରକାରର ପ୍ରମୁଖ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କିତ ଏକ ପ୍ରଶ୍ନର ଲମ୍ବା ଉତ୍ତର ରଖିଥିଲେ ନବୀନ। କହିଥିଲେ, ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ନିଆଯାଉଥିବା ବ୍ୟାପକ ପଦକ୍ଷେପ, କୃଷକ ମାନଙ୍କର ରୋଜଗାର ଦ୍ୱିଗୁଣିତ ହେବା, ରାଜ୍ୟରେ ଯେପରି କେହି ଭୋକିଲା ରହିବେ ନାହିଁ ସେଥିପାଇଁ ଖାଦ୍ୟ ସୁରକ୍ଷା ଅଭିଯାନ ଅନ୍ତର୍ଗତ ବିପିଏଲ୍‌ ପରିବାରକୁ ଏକ ଟଙ୍କାରେ ଚାଉଳ ଯୋଗାଣ, ଆଗାମୀ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ଆଉ ଚାଳ ରହିବ ନାହଁ ଆଦି ତାଙ୍କ ସରକାର ହାତକୁ ନେଇଥିବା ପ୍ରମୁଖ କାର୍ଯ୍ୟକ୍ରମର ଅଂଶବିଶେଷ।

ତେବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସବୁଠାରୁ ବଡ଼ ସଫଳତା ପାଇଛି ବୋଲି ଦାବି କରିଥିଲେ ନବୀନ। କହିଥିଲେ, ୧୯୯୯ ମସିହାର ସୁପର ସାଇକ୍ଲୋନ୍‌ ପରେ ତାଙ୍କ ସରକାର ଆସିଥିଲା। ଏଣୁ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ସେ ସବୁଠାରୁ ବେଶୀ ଗୁରୁତ୍ୱ ଦେଇଆସିଛନ୍ତି। ଆଉ ଏହାର ସୁଫଳ ଫାଇଲିନ୍‌ ବେଳେ ଦେଶ ଦେଖିପାରିଛି। ଜଣେ ବି ବ୍ୟକ୍ତିଙ୍କ ଜୀବନହାନି ହୋଇନଥିଲା। ରାଜ୍ୟ ସରକାର ମିଳିତ ଜାତିସଂଘ ଦ୍ୱାରା ଏଥିପାଇଁ ପ୍ରଶଂସିତ ମଧ୍ୟ ହୋଇଛନ୍ତି। ସେହିଭଳି ଏସିଆନ୍‌ ଗେମ୍‌ସ ଭଳି କ୍ରୀଡ଼ା ମହାକୁମ୍ଭକୁ ମଧ୍ୟ ସଫଳତାର ସହିତ ଆୟୋଜନ କରି ଅର୍ନ୍ତଜାତୀୟ ସ୍ତରରେ ତାଙ୍କ ସରକାର ସଫଳତା ସାଉଁଟିଥିବା ନବୀନ ପ୍ରକାଶ କରିଥିଲେ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ତାଙ୍କ ସରକାରର କ’ଣ ଆଭିମୁଖ୍ୟ ରହିବ ବୋଲି ଏକ ପ୍ରଶ୍ନରେ ନବୀନ କହିଥିଲେ, ରାଜ୍ୟବାସୀଙ୍କ ପାଇଁ କଠିନ ପରିଶ୍ରମ ନିରନ୍ତର ଜାରି ରହିବ। ଟ୍ରାନ୍ସପରେନ୍ସି, ଟିମ୍‌ଓ୍ଵାର୍କ ଓ ଟେକ୍ନୋଲୋଜି ଭଳି ତିନି ‘ଟି’ ର ବ୍ୟବହାର ମୋଦିଙ୍କୁ ଅନୁକରଣ କରି କରାଯାଉଥିବା ପ୍ରଶ୍ନରେ ନବୀନ ଏଗୁଡ଼ିକ ସବୁ ସାଧାରଣ ଶବ୍ଦ ଓ ମୋଦିଙ୍କୁ ଅନୁକରଣରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି ପ୍ରକାଶ କରିଥିଲେ।

ଗତକାଲି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିବା ସହିତ ସେ ଓଡ଼ିଶାରୁ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଥାଉକିି, କଂଗ୍ରେସ ସହିତ ମେଣ୍ଟ ପ୍ରସଙ୍ଗକୁ ନେଇ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବିଜେଡି। ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ଏକଥା ଉଠାଇଥିଲେ, ଏବେ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ସମାନ କଥା ଦୋହରାଇଥିଲେ। ଏହାକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଥିଲା ଓ ସ୍ପଷ୍ଟୀକରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେହିଭଳି ସଂଖ୍ୟା ଖେଳକୁ ନେଇ ବୟାନବାଜି ପ୍ରସଙ୍ଗରେ ବିଜେପିର ଦାବିକୁ ହେୟ ଜ୍ଞାନ କରି ପ୍ରତିପକ୍ଷଙ୍କ ମୁହଁ ବନ୍ଦ କରିଦେଇଥିଲେ।

ସମ୍ବନ୍ଧିତ ଖବର