୧୮ରୁ ବିଜେଡିର ଯୁବ-ଛାତ୍ର ସମ୍ପର୍କ ଅଭିଯାନ

ଭୁବନେଶ୍ୱର : ରାଜ୍ୟର ଯୁବକ ଓ ଛାତ୍ରମାନଙ୍କୁ ଦଳ ସହ ଯୋଡ଼ିବା ପାଇଁ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ‘ଯୁବ-ଛାତ୍ର ସମ୍ପର୍କ ଅଭିଯାନ’ ନାମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୧୮ ତାରିଖରୁ ଆରମ୍ଭ ହୋଇ ୧୪୭ଟି ନିର୍ବାଚନମଣ୍ଡଳୀରେ ଚାଲିବ। ଏହା ମାଧ୍ୟମରେ ଯୁବ-ଛାତ୍ରଙ୍କ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ ବିଜେଡି ଯୁବ ଶାଖା ସଭାପତି ଅମରେଶ ପତ୍ରୀ ଓ ଛାତ୍ର ଶାଖା ସଭାପତି ରାଣାପ୍ରତାପ ପାତ୍ର କହିଥିଲେ, ବିଜେଡି ତା’ର ସାଂଗଠନିକ କାର୍ଯ୍ୟଧାରାରେ ଯୁବକ ଓ ଛାତ୍ରଙ୍କୁ ବିଶେଷ ପ୍ରାଧାନ୍ୟ ଦେଉଛି। ଏହାକୁ ଆହୁରି ବ୍ୟାପକ କରାଯିବାକୁ ଯୋଜନା ହୋଇଛି। ‘ଯୁବ-ଛାତ୍ର ସମ୍ପର୍କ ଅଭିଯାନ’ ପ୍ରଥମ ପର୍ଯ୍ୟାୟରେ ତିନିଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ ଓ ବରଗଡ଼ ଜିଲ୍ଲାର ନିର୍ବାଚନମଣ୍ଡଳୀରେ କରାଯିବ। ସ୍ଥାନୀୟ ନେତାଙ୍କ ସମେତ ସେହି ଅଞ୍ଚଳର କୃତୀ ଯୁବ ପ୍ରତିଭାମାନଙ୍କୁ ସାମିଲ୍‌ କରାଯିବ। ଏ ନେଇ ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ କରାଯିବ। ରାଜ୍ୟ ସରକାରଙ୍କ ସଫଳତା, ବିଶେଷ କରି ଯୁବ-ଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ସମ୍ପର୍କରେ ଏହି ଅଭିଯାନ ମାଧ୍ୟମରେ ଅବଗତ କରାଯିବ।

ସମ୍ବନ୍ଧିତ ଖବର