ବିଜେଡିର ପଦଯାତ୍ରା ଆଜିଠାରୁ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ଆସନ୍ତା ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ଚାଲିବ। ଗ୍ରାମାଞ୍ଚଳରେ ପ୍ରତ୍ୟେକ ଜୋନ୍‌ରେ ଓ ସହରାଞ୍ଚଳରେ ପ୍ରତ୍ୟେକ ଓ୍ଵାର୍ଡରେ ପଦଯାତ୍ରା ଆୟୋଜନ କରାଯିବ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହିଷାଖାଲ ବେହେରା ସାହିଠାରେ ପଦଯାତ୍ରାର ଶୁଭାରମ୍ଭ କରିବେ।

ଆଜି ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଜେଡି ଉପସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଲେ, ଓଡ଼ିଶାର ପ୍ରତ୍ୟେକ ଗାଁ ଓ ସହରାଞ୍ଚଳର ଓ୍ଵାର୍ଡର କର୍ମକର୍ତ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯିବ। ପଦଯାତ୍ରା ମାଧ୍ୟମରେ ଗତ ୧୭ ବର୍ଷରେ ବିଜେଡି ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାମାନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଯିବ। ଏହା ସହ ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା ବିଷୟରେ ଲୋକଙ୍କୁ ଜାଗ୍ରତ କରାଯିବ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାରେ ଅବହେଳା, ମହାନଦୀ ଓ ପୋଲାଭରମ୍‌ ନେଇ କେନ୍ଦ୍ରର ଦୋମୁହାଁ ନୀତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ କରିବା, ତୈଳଦର ବୃଦ୍ଧି ତଥା ଓଡ଼ିଶାର ବିଭିନ୍ନ ଜନହିତକର ଯୋଜନାରେ ଖର୍ଚ୍ଚକାଟ କରିବା ଆଦି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ପ୍ରଶାନ୍ତ ନନ୍ଦ ଓ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର