ସଂସଦର ଚଳିତ ମୌସୁମୀ ଅଧିବେଶନରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ସମର୍ଥନ କରିବା ତଥା ବିରୋଧୀ ମେଣ୍ଟଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ଓ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି। ଦଳର ଆଭିମୁଖ୍ୟକୁ ସଂସଦରେ ସ୍ପଷ୍ଟ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଲୋକସଭାରେ ବିଜେଡି ଦଳର ନେତା ପିନାକୀ ମିଶ୍ର। ତାଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ର ଦିଲ୍ଲୀ ପ୍ରତିନିଧି ନଇମ ଅଖତାର

Advertisment

ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ ଦିଲ୍ଲୀ ସର୍ଭିସ୍‌ ବିଲ୍‌ରେ ସମର୍ଥନ ଏବଂ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଜୋର୍‌ଦାର୍‌ ବିରୋଧ କରିବା ଅବସରରେ ଆପଣ କେନ୍ଦ୍ର-ରାଜ୍ୟ ସମ୍ପର୍କର ନୂଆ ପରିଭାଷାକୁ ସାମ୍‌ନାକୁ ଆଣିନାହାନ୍ତି କି?
ଆଦୌ ନୂଆ ପରିଭାଷା ନୁହେଁ। ଏହା ପୁରୁଣା ପରିଭାଷା। ଏହି ପରିଭାଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଆରମ୍ଭରୁ ହିଁ ସ୍ପଷ୍ଟ କରିସାରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉପଯୁକ୍ତ ସମନ୍ବୟ ନ ରହିଲେ, ରାଜ୍ୟର ବିକାଶ ସାଧିତ ହୋଇପାରିବ ନାହିଁ। ଜନସାଧାରଣଙ୍କ ସମୃଦ୍ଧି ପାଇଁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ସହଯୋଗ ନିତାନ୍ତ ଆବଶ୍ୟକ। ବରଂ, କେନ୍ଦ୍ର ସହିତ ଝଗଡ଼ା ବା ବିବାଦରେ ସାମଗ୍ରିକ ଭାବେ ରାଜ୍ୟର ଅଧିକ କ୍ଷତି ହେବ। ମୁଁ ନଁା ଉଲ୍ଲେଖ କରିବି ନାହିଁ, ଆମ ଦେଶର ଦୁଇଟି ରାଜ୍ୟକୁ କେନ୍ଦ୍ର ସହିତ ସମନ୍ବୟ ରକ୍ଷା ନକରିବା ଫଳରେ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ସରକାରୀ କର୍ମଚାରୀଙ୍କୁ ପ୍ରତି ମାସରେ ଦରମା ଦେବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନାହିଁ। ଆମ ରାଜ୍ୟକୁ ଦେଖନ୍ତୁ, ଆର୍ଥିକ ଦୃଷ୍ଟିରୁ ଆମେ ବେଶ୍‌ ସମୃଦ୍ଧ। ୨୪ ବର୍ଷ ତଳେ ନବୀନବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେତେବେଳେ ରାଜ୍ୟର ବଜେଟ୍‌ ଥିଲା ୩ ହଜାର କୋଟି। ଆଜି ଆମ ରାଜ୍ୟର ବଜେଟ୍‌ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିଛି। ଏହା ସ୍ପଷ୍ଟ ଯେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସହ‌ଯୋଗ ଯୋଗୁ ଏହା ସମ୍ଭବପର‌ ହୋଇପାରିଛି। ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉପା ସରକାର ଏବଂ ୨୦୧୪ ମସିହାରୁ ଅଦ୍ୟାବଧି ଶାସନ କ୍ଷମତାରେ ଥିବା ଏନ୍‌ଡିଏ ସରକାର ସହିତ ରାଜ୍ୟର ସମ୍ପର୍କ ଉତ୍ତମ ରହିଛି।
l ବିଜେପି ଓ କଂଗ୍ରେସଠାରୁ ବିଜେଡି ଏବେ ବି ସମଦୂରତା ନୀତି ଆପଣାଉଥିବା କଥାକୁ ଆପଣ ଦୃଢ଼ତାର ସହ ସଂସଦରେ ସ୍ପଷ୍ଟ କରିଥିଲେ।‌ ବାସ୍ତବରେ କ’ଣ ଆପଣଙ୍କ ଦଳ ସମଦୂରତା ନୀତିକୁ ଆପଣାଉଛି? ଯେତେବେଳେ ସବୁ ବିଲ୍‌କୁ ଦଳ ପକ୍ଷରୁ ସମର୍ଥନ କରାଯାଉଛି, ସେତେବେଳେ ସମଦୂରତ୍ବକୁ ନେଇ ଭିନ୍ନ ବାର୍ତ୍ତ ଯାଉନାହିଁ କି?
ବିଜେଡିର ସମଦୂରତ୍ବ ନୀତି ଶତପ୍ରତିଶତ ଅପରିବର୍ତ୍ତିତ ରହିଛି। ନବୀନବାବୁଙ୍କ କହିବା ଅନୁସାରେ ରାଜନୀତି ଗୋଟିଏ ଜାଗାରେ ସ୍ଥିର। ନିର୍ବାଚନ ଶେଷ ହେବାପରେ ଦଳୀୟ ରାଜନୀତି ଶେଷ। ଏସବୁଠାରୁ ଊର୍ଦ୍ଧ୍ବରେ ରହିଛି ରାଜ୍ୟର ସ୍ବାର୍ଥ। ଗଭର୍ଣ୍ଣାନ୍‌ସ୍‌ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ସଂସଦରେ କୌଣସି ବିଲ୍‌କୁ ଏକତରଫା ଭ‌ାବେ ସମର୍ଥନ କରାଯାଉନାହିଁ। ଉଦାହରଣ ସ୍ବରୂପ କୃଷି ବିଲ୍‌। ରାଜ୍ୟସଭ‌ାରେ ଏହି ବିଲ୍‌କୁ ଆମ ଦଳ ଦୃଢ଼ତାର ସହିତ ବିରୋଧ କରିଥିଲା। ମୁଁ ଆଉ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ ଯେ ବିଜେଡି ବିରୋଧ କରୁଥିବାରୁ ସରକାର ଜାଣିଶୁଣି ବିଲ୍‌କୁ ଭୋଟିଂ ପାଇଁ ଆଣି ନ ଥିଲେ। ଦିଲ୍ଲୀ ସର୍ଭିସ୍‌ ବିଲ୍‌ ପ୍ରସଙ୍ଗରେ ସମ୍ବିଧାନରେ କୌଣସି ବ୍ୟବସ୍ଥା ନ ଥିବାରୁ ବିଧେୟକ ଆଗତ କରିବାର ଅଧିକାର ସଂସଦର ଅଛି ବୋଲି ବିଜେଡି ସ୍ପଷ୍ଟ ମତ ରଖିଛି। ଏଥିରେ ଭୁଲ୍‌ କ’ଣ ରହିଲା ମୁଁ ବୁଝିପାରୁନାହିଁ। ଆମେ ଯେଉଁସବୁ ନିଷ୍ପତ୍ତି ଗ୍ରହଣ କରୁଛୁ ତାହା କେବଳ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି କରୁଛୁ। ତେଣିକି ଲୋକେ ଯାହା କହିବା କଥା କୁହନ୍ତୁ।
l ନିକଟରେ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ଏନେଇ ଆପଣ କ’ଣ ମତ ରଖିବେ?
ରାଜନୀତିରେ ଏହା ହେଉଛି ଏକ ସାଧାରଣ ଶିଷ୍ଟାଚାର। ନବୀନବାବୁଙ୍କ ଭାଷା ଶାଳୀନ। ତାଙ୍କର ବ୍ୟକ୍ତିତ୍ବ ମଧ୍ୟ ସେହିଭଳି, ଯାହାକୁ ଦେଖି ଦିନେ ଯେଉଁ କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୋଡ଼ା ଟ୍ରାନ୍ସଫର୍ମର ବୋଲି କହୁଥିଲେ ଏବେ ସେ ନବୀନବାବୁଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି। ଯଦି ଆପଣ ଶିଷ୍ଟାଚାର ଦେଖାଇବେ, ନିଶ୍ଚୟ ଶିଷ୍ଟାଚାର ପାଇବେ। ଏହା ବି ହେଉଛି ଜୀବନର ଏକ ସରଳ ସିଦ୍ଧାନ୍ତ। ଆଜି ନବୀନବାବୁଙ୍କ ଭଳି ଜଣେ ଭାବମୂର୍ତ୍ତି ସମ୍ପନ୍ନ ନେତା ସେମାନଙ୍କ ସପକ୍ଷରେ ରହିବା ପାଇଁ ସମସ୍ତେ ଚାହଁୁଛନ୍ତି। ଏନ୍‌ଡିଏ ଚାହଁୁଛି ସେମାନଙ୍କ ପାଖରେ ରୁହନ୍ତୁ, ‘ଇଣ୍ଡିଅା’ ବି ଚାହୁଁଛି ନବୀନବାବୁ ସେମାନଙ୍କ ପାଖରେ ରୁହନ୍ତୁ। ଯଦି କୌଣସି ରାଜନୈତିକ ଦଳ ଏମିତି ଜଣେ ଷ୍ଟେଟ୍‌ସମ୍ୟାନଙ୍କ ସହଯୋଗ ଲାଭ କରିବ, ନିଶ୍ଚିତ ଭାବେ ସେ ଧନ୍ୟ ହୋଇଯିବ।
l ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ରୁଦ୍ଧଦ୍ବାର ବୈଠକ‌ କରିଥିଲେ। ଏହାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି। ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ପୁନର୍ବାର ମେଣ୍ଟ ପ୍ରତିଷ୍ଠା ହେବାର ଏହା ଏକ ସଙ୍କେତ କି?
ମୁଁ ଏ ସଂପର୍କରେ କୌଣସି ମତାମତ ଦେବି ନାହିଁ। ଏଥିପାଇଁ ବି ମୁଁ ଅଧିକାରପ୍ରାପ୍ତ ହୋଇନାହିଁ।
l ବିଜେଡିର ନିର୍ବାଚନ ପ୍ରସ୍ତୁତିକୁ ନେଇ ଆପଣ କ’ଣ କହିବେ?
ରାଜ୍ୟ ରାଜନୀତିରେ ବିଜେଡିର ସମ୍ପୂର୍ଣ୍ଣ ଭାବେ ଆଧିପତ୍ୟ ରହିଛି। ଗୋଟିଏଗୋଟିଏ ଆସନରେ ୫ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ପ୍ରସ୍ତୁତ ହୋଇରହିଛନ୍ତି। ଆମେ ହେଉଛି ‘ୱାର୍‌-ରେଡି ପାର୍ଟି’।
l ବିଜେଡି ଏନ୍‌ଡିଏ ସରକାରଙ୍କ ଅନେକ ବିଲ୍‌ଗୁଡିକୁ ସମର୍ଥନ କରିଛି। ଆସନ୍ତା ଅଧିବେଶନରେ ଏକକ ନାଗରିକତା ସଂହିତା (ୟୁସିସି) ଆସିବାର ସମ୍ଭାବନା ଅଛି। ଏହାକୁ ମଧ୍ୟ ବିଜେଡି ସମର୍ଥନ କରିବ କି?
ସପ୍ତଦଶ ଲୋକସଭାରେ ଏହି ବିଲ୍‌ ଆସିବ ନାହିଁ। ଯେତେବେଳେ ବିଲ୍‌ ଆସିବ, ସେହି ସମୟରେ ଏ ସଂପର୍କରେ ମତ ଦେଇହେବ। ବିଲ୍‌କୁ ଦେଖିବା ପରେ ହିଁ ପ୍ରତିକ୍ରିୟା ପ୍ରକାଶ କରାଯାଇପାରିବ। ବିଲ୍‌କୁ ନ ଦେଖିବା ପୂର୍ବରୁ ଏହାକୁ ସମର୍ଥନ କିମ୍ବା ବିରୋଧ ହେବ ବୋଲି କିଭଳି କୁହାଯାଇପାରିବ? ଏ ନେଇ ଆଗରୁ କୌଣସି କଳ୍ପନାଜଳ୍ପନା କରାଯାଇଯାଇପାରିବ ନାହିଁ। ଆଇନ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ବିଜେପିର ରାଜ୍ୟସଭା ସଦସ୍ୟ ସୁଶୀଲ ମୋଦିଙ୍କ ୟୁସିସି ଉପରେ ଆପତ୍ତି ରହିଛି, ବିଜେପିର ଆଦିବାସୀ ସାଂସଦଙ୍କ ଆଦିବାସୀମାନଙ୍କ ଉପରେ ୟୁସିସି ଲାଗୁ ଉପରେ ମଧ୍ୟ ଆପତ୍ତି ରହିଛି। ୟୁସିସି କେଉଁ ସ୍ବରୂପରେ ଆସିବ ଏହାକୁ ପ୍ରଥମେ ଦେଖିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ତାଙ୍କର ମଧ୍ୟପ୍ରଦେଶ ଗସ୍ତରେ ଏହି ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ହାଲୁକା ଭାବେ କହିଥିଲେ। କିନ୍ତୁ, ରାଜନୈତିକ ଦଳ ଏବଂ ଗଣମାଧ୍ୟମ ଏହାକୁ ହାଇଲାଇଟ୍‌ କରିଦେଲେ।
l ବିଜେଡି ଦ୍ବାରା ସଂସଦରେ ଯେଉଁସବୁ ଦାବିଗୁଡ଼ିକ ଉପସ୍ଥାପନ କରାଯାଉଛି ତାହା କେବଳ ଦାବି କରିବା ଆଳରେ କରାଯାଉଛି ନା ହାସଲ କରିବା ପାଇଁ?
ବିଜେଡି ସବୁ ଦାବିଗୁଡ଼ିକ ଅତ୍ୟନ୍ତ ଗୁରୁତର ସହ ଉପସ୍ଥାପନ କରୁଛି। କୌଣସି ଦାବି ପ୍ରତୀକାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଉନାହିଁ। ମହିଳା ସଂରକ୍ଷଣ ଦାବିକୁ ଲଗାତାର ବିଜେଡି ଉଠାଉଛି। ମହିଳା ସଂରକ୍ଷଣ ବିଲ୍‌ ପାରିତ ହେଉ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଇଚ୍ଛା। ଅନାସ୍ଥା ପ୍ରସ୍ତାବ ଆଲୋଚନା ଅବସରରେ ଏହାକୁ ପୁଣିଥରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଆହୁରି ମଧ୍ୟ କହିବି ଯେ ଆମର ଅନେକଗୁଡ଼ିଏ ଦାବି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଖଣିଜ ପଦାର୍ଥ, କୋଇଲା ଉପରେ ରୟାଲ୍‌ଟି, ଲୁହାପଥର ଓ ମାଙ୍ଗାନିଜ ଉପରେ ରପ୍ତାନୀ କର ଛାଡ଼, ପୁରୀ ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟର ଚୂଡ଼ାନ୍ତ ରୂପରେଖ ପ୍ରକ୍ରିୟା, ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ ପ୍ରକଳ୍ପ ବାବଦରେ ରାଜ୍ୟର ଦାବି ପୁରଣ ହୋଇଛି। ଏହା ସତ ଯେ ରାଜ୍ୟର ସମସ୍ତ ଦାବି ପୂରଣ ହୋଇନାହିଁ। ଅନ୍ୟ ଏକ ଗୁରତ୍ବପୂର୍ଣ୍ଣ ଦାବି ହେଉଛି ରାଜ୍ୟକୁ ‘ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌’ର ମାନ୍ୟତା। ଯଦି କେନ୍ଦ୍ର ସରକାର ଏ ସମ୍ପର୍କରେ ବିଚାର କରନ୍ତି, ଓଡ଼ିଶାକୁ ପ୍ରଥମେ ‘ଫୋକସ୍‌ ଷ୍ଟେଟ୍‌ ରାଜ୍ୟ’ର ମାନ୍ୟତା ମିଳିବା ନେଇ ମୁଁ ଆଶାବାଦୀ।
l ୨୦୨୪ ରେ ପୁଣିଥରେ ନବୀନବାବୁ ମୁଖ୍ୟମନ୍ତ୍ରୀ ହେବେ?
ନିଶ୍ଚିତ ରୂପେ। ନବୀନବାବୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ- ଏକଥା ବିରୋଧୀ ଦଳ ମଧ୍ୟ ଜାଣିଛନ୍ତି।