ବିଜେପିର ପ୍ରଶ୍ନ ? ୨୦ ବର୍ଷ ଶାସନ ପରେ କାହିଁକି ମନେପଡ଼ିଲା ପଛୁଆ ବର୍ଗଙ୍କ କଥା ? ବିଜେଡି କହିଲା, ଭୋଟ ବ୍ୟାଙ୍କ ରାଜନୀତି ନୁହେଁ ସେବା କରୁଛି ଆମ ସରକାର

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପଛୁଆ ବର୍ଗଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ୨୦୨୧ରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିପାରିନାହିଁ  ବିଜେପି । ଯଦିଓ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ସ୍ୱାଗତ କରିଛି ମାତ୍ର ବିଜେପି ଆଦୌ ପାଖ ପୂରାଇ ଦେଉନାହିଁ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବକୁ ସିଧାସିଧା ବିରୋଧ ନ କରିଥିଲେ ବି ଗଣମାଧ୍ୟମରେ ରଖିଥିବା ପରୋକ୍ଷ ପ୍ରତିକ୍ରିୟା ତାଙ୍କ ବିରୋଧାଭାସର ସଂକେତ ଦେଉଥିଲା । ମଣ୍ଡଳ କମିସନ କଥା ଉଠାଇ ଓଲଟା ପଛୁଆ ବର୍ଗଙ୍କୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନର ପାହାଡ଼ ଲଦି ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟ କ୍ୟାବିନେଟରେ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବ ପାରିତ ପରେ ଏହାକୁ ନେଇ ବିଜେପି ପ୍ରଶ୍ନ କରିଥିବା ବେଳେ ତୁରନ୍ତ ଓବିସି କମିସନ ନିଯୁକ୍ତି କରିବାକୁ ଦାବି ହୋଇଛିି । ଏହାସହ ପଛୁଆ ବର୍ଗ ପାଇଁ ଥିବା ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ପୃଥ୍ୱୀରାଜ । ତେବେ ୨୦ ବର୍ଷ ଶାସନ କଲା ପରେ ଆଜି ହଠାତ କ’ଣ ପାଇଁ ପଛୁଆ ବର୍ଗଙ୍କ କଥା ରାଜ୍ୟ ସରକାରଙ୍କ ମନେ ପଡିଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବା ପାଇଁ ନ୍ୟାୟଳୟରେ ମୁହଁ ଲୁଚାଉଛନ୍ତି ରାଜ୍ୟ ସରକାର । ଯେତେବେଳେ ଯେମିତି ସୁହାଇବ ସମ୍ବିଧାନକୁ ସେମିତି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ରାଜନୀତି ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ।

ଯଦି ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନକରନ୍ତି ତେବେ ବିଧାନସଭା ଭିତରେ ଓ ବାହାରେ ବିରୋଧ କରାଯିବ । ତା’ସହ ସାରା ପ୍ରଦେଶରେ ଲୋକଙ୍କ ପାଖକୁ ଯାଇ ପ୍ରତିବାଦ କରିବ ବିଜେପି ।

ସେପଟେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା । ଭୋଟ ବ୍ୟାଙ୍କ ରାଜନୀତି ପାଇଁ ନୁହେଁ ବିଜେଡି ସରକାର ସବୁବେଳେ ପଛୁଆ ବର୍ଗଙ୍କ ପାଇଁ କାମ କରୁଛି । ସେମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଅନେକ ହଷ୍ଟେଲ ନିର୍ମାଣ ହୋଇଛି । ଓବିସି କମିସନ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାର ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆ ବର୍ଗଙ୍କ ପାଇଁ କାମ କରୁଛନ୍ତି ବୋଲି କହି ବିଜେପି ଅଭିଯୋଗର ଜବାବ ଦେଇଛନ୍ତି ମନ୍ତ୍ରୀ ସାରକା ।

ସମ୍ବନ୍ଧିତ ଖବର