ମହିଳାଙ୍କୁ ପ୍ରସଙ୍ଗ କରି ବିଜେପିର ପାଲଟା ଆକ୍ରମଣ

ମଦ ପ୍ରସାର କରୁଛନ୍ତି ସରକାର, ଅସୁରକ୍ଷିତ ହୋଇପଡ଼ିଛନ୍ତି ମା’

ଅଙ୍ଗନବାଡ଼ି ସମସ୍ୟା, ପୁଷ୍ଟିକର ଯୋଜନା ନେଇ ବି ପ୍ରଶ୍ନ ପଚାରିଲା

ଭୁବନେଶ୍ୱର : ଗରିବ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଭେଜାଲ ଓ ନିମ୍ନମାନର ହେବା ହାଟରେ ପଡି ଦାଣ୍ଡରେ ଗଡୁଛି। ଏ ସଂପର୍କରେ ବିଜେଡି ନେତାମାନେ ପଦଯାତ୍ରା ସମୟରେ ସ୍ପଷ୍ଟୀକରଣ ଦିଅନ୍ତୁ। ରାଜ୍ୟ ସରକାରଙ୍କ କୋହଳ ମଦ ନୀତି ଯୋଗୁଁ ମା’ ଓ ଭଉଣୀ ଅସୁରକ୍ଷିତ ଏବଂ ବେସାହାରା ହୋଇ ପଡିଛନ୍ତି। ଏ ନେଇ ବି ବିଜେଡି ଜବାବ ଦେବା ଦରକାର। ପଦଯାତ୍ରାର ସପ୍ତମ ଦିନରେ ଆଜି ବିଜେପି ଏମିତି ଢଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି। ସିଧା ସିଧା ଅଭିଯୋଗ କରିଛି ଯେ ବିଜେଡି ନେତାଙ୍କ ଲାଭଖୋର ଲାଞ୍ଚୁଆ ମନୋଭାବ ଯୋଗୁଁ ମହିଳା ସଶକ୍ତିକରଣକୁ ଧକ୍କା ଲାଗିଛି।

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ରାଜ୍ୟରେ ଅଙ୍ଗନବାଡିକର୍ମୀଙ୍କୁ ସରକାର ଚାକିରିଆର ମାନ୍ୟତା ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଉଛନ୍ତି। ଓଡ଼ିଶାରେ କିନ୍ତୁ ଏମାନଙ୍କୁ ଖରା ବର୍ଷାରେ ଲୋୟର ପିଏମ୍‌ଜିରେ ନିର୍ଯାତନା ଦେଉଛନ୍ତି ସରକାର। କାହିଁକି ଅଙ୍ଗନବାଡି ବନ୍ଦ ଅଛି ସେ ନେଇ ଗାଁରେ ପଦଯାତ୍ରା ସମୟରେ ବିଜେଡି ସ୍ପଷ୍ଟୀକରଣ ଦେବା ଦରକାର। ସେହିଭଳି ଅର୍ଥ ପ୍ରତିବନ୍ଧକ ନ ଥିବା ବେଳେ ୪୦ ହଜାର ୮୦୫ ଅଙ୍ଗନବାଡି କେନ୍ଦ୍ର ମାନଙ୍କର କାହିଁକି ନିଜସ୍ୱ ଗୃହର ବ୍ୟବସ୍ଥା ହୋଇପାରିନାହିଁ, ଗୁରୁତର ଅପପୁଷ୍ଟିର ଶୀକାର ଶିଶୁ ମାନଙ୍କର ସଂଖ୍ୟା ଅଧିକ ଥିଲେ ମଧ୍ୟ ପରିପୂରକ ପୁଷ୍ଟିକର ଯୋଜନାରେ କାହିଁକି ସମସ୍ତେ ସାମିଲ ହୋଇ ନାହାନ୍ତି ସେ ନେଇ ମଧ୍ୟ ବିଜେଡିର ଜବାବ ମାଗିଛି ବିଜେପି।

ବିଜେପି ନେତ୍ରୀ ଶ୍ରୀମତୀ ପରିଡା ଦାବି କରିଥିଲେ, ୨୦୧୫ରେ ରାଜ୍ୟରେ ୫ ଲକ୍ଷ ୬୩ ହଜାର ୩୩୮ ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ମାର୍ଚ୍ଚ ୨୦୧୭ରେ ଏହି ସଂଖ୍ୟା ହ୍ରାସ ପାଇ ୩ ଲକ୍ଷ ୭ ହଜାର ୪୮୦ରେ ପହଞ୍ଚିଥିବା ସରକାର ସ୍ୱୀକାର କରିଛନ୍ତି । ଏହି ହିସାବକୁ ନିଆଗଲେ ଦିନକୁ ୨୭୩ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମୁହଁ ଫେରାଉଛନ୍ତି । ପ୍ରତି ଏସଏଚଜି ଗ୍ରୁପରେ ୧୦ ସଦସ୍ୟ ହିସାବରେ ଦୈନିକ ୨୭୩୦ ଜଣ ମହିଳା ଛାଡୁଛନ୍ତି ନବୀନଙ୍କ ମିସନ ଶକ୍ତି । ଏପରିସ୍ଥଳେ ମହିଳା ସଶକ୍ତ କାର୍ଯ୍ୟକ୍ରମ ବିଫଳ ହୋଇନାହିଁ କି ବୋଲି ପ୍ରଶ୍ନ କରିଛି ବିଜେପି। କେବଳ ସେତିକି ନୁହେଁ, ନିମ୍ନ ମାନର ଛତୁଆ ଓ ଟେକ ହୋମ ରାସନ ପଛରେ ବିଜେଡି ନେତା ଓ କର୍ମୀଙ୍କୁ ସରକାର ଠିକା ଦେଉଛନ୍ତି ବୋଲି ଦଳ ଅଭଯୋଗ କରିଛି। ବିଜେପି କହିଛି, ରାଜ୍ୟରେ ପ୍ରସୂତିମାନେ ବେତା ଓ ଟୋକେଇରେ ଡାକ୍ତରଖାନା ବୁହା ହେଉଛନ୍ତି। ଖୋଲା ଆକାଶ ତଳେ ମା’ ପ୍ରସବ କରୁଥିବା ଘଟଣା ଓଡିଆଜାତିକୁ ଲଜ୍ଜିତ କରୁଛି। ମହିଳାଙ୍କ ଏହି ସମ୍ମାନର ପ୍ରସଙ୍ଗକୁ ନବୀନ ବାବୁଙ୍କ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ରାଜସ୍ୱ ଆଳରେ ବିଜେଡି ସରକାର ଗାଁ ଗାଁରେ ନୂତନ ମଦ ଦୋକାନ ଖୋଲି ମଦର ବନ୍ୟା ପରିସ୍ଥିତି ସୃଷ୍ଟି କରିବା କାରଣରୁ ରାଜ୍ୟର ଯୁବପିଢି ଆଜି ପଥଭ୍ରଷ୍ଟ ହୋଇ ହିଂସାକାଣ୍ଡ ଭିଆଉଛନ୍ତି । ମଦ ପାଇଁ ଘରେ ଘରେ ହିଂସାକାଣ୍ଡ ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ମାତ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।

ରାଜ୍ୟ କାଯ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର