ବିଜେପୁରରେ ବିଜେପି ଓ କଂଗ୍ରେସ ଦେଲେ ‘ୱାକ ଓଭର’! ଫାଙ୍କା ମଇଦା‌ନରୁ ପୂରା ଫାଇଦା ନେଲା ବିଜେଡି, ରଚିଲା ଇତିହାସ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନର ଫଳାଫଳ ସଂପୂର୍ଣ୍ଣ ଭାବେ ଏକ ତରଫା ହୋଇଛି । ଭୋଟରମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଉପରେ ଆସ୍ଥା ଜ୍ଞାପନ କରିଥିବା ବେଳେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଏକ ପ୍ରକାର ଅଣଦେଖା କରିଥିବା ସ୍ପଷ୍ଟ ହୋଇଛି । କାରଣ ଗତ ସାଧାରଣ ନିର୍ବାଚନ ସମୟରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇ ଯେତିକି ଭୋଟ ପାଇଥିଲେ, ତା’ଠାରୁ ୨୫୦୦୦ରୁ ଅଧିକ ଭୋଟ ଏଥର ତାଙ୍କ ଦଳର ପ୍ରାର୍ଥୀଙ୍କୁ ମିଳିଛି । ଏହା ପରୋକ୍ଷ ସୂଚନା ଦେଉଛି କି ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ପୂର୍ବବତ୍ ବଜାୟ ରହିବା ସହ ବୃଦ୍ଧି ପାଇବାରେ ଲାଗିଛି । ନବୀନଙ୍କ ନିର୍ବାଚନ ପ୍ରଚାରକୁ ମାଧ୍ୟମ କରି ରୀତା ସାହୁ ଆଜି ଏତେ ବଡ଼ ବିଜୟର ହକଦାର ହୋଇ ପାରିଛନ୍ତି, ଏଥିରେ ଦ୍ୱିମତ ନାହିଁ । ଏଥିସହ କ୍ରମାଗତ ଭାବେ ବିଜେପୁରରେ ବଢ଼ି ଚାଲିଛି ବିଜେଡିର ଭୋଟ୍। ୨୦୧୪ରେ ବିଜେଡିକୁ ୫୨,୮୩୨ ଭୋଟ ମିଳିଥିଲା। ଏହାପରେ ୨୦୧୮ରେ ୧୦୨୮୭୧, ୨୦୧୯ରେ ୧୧୦୬୦୪ ଏବଂ ଏଥର ୧୩୫୯୪୯ଟି ଭୋଟ୍ ମିଳିଛି।

ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସର ସର୍ବବୃହତ ବିଜୟର ରେକର୍ଡ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ  ହାତରୁ ଛଡ଼ାଇ ଆଣିବାରେ ସକ୍ଷମ ହୋଇଛି ବିଜୁ ଜନତା ଦଳ । ଏକଦା କଂଗ୍ରେସ ଗଡ଼ ଥିବା ବିଜେପୁରକୁ  ନିଜ ହାତକୁ ଛଡ଼ାଇ ଆଣିଛି ବିଜେଡ଼ି । କ୍ରମାଗତ ତିନିଟି ନିର୍ବାଚନରେ ବିଜୁ ଜନତା ଦଳ ବଡ଼ ବ୍ୟବଧାନରେ ଜିତି ଆସୁଛି । ତେବେ ବିଜେଡ଼ିର ଏହି ବିପୁଳ ବିଜୟର ଶ୍ରେୟ ଦୁଇ ପ୍ରମୁଖ ବିରୋଧୀ ଦଳଙ୍କ ଦୁର୍ବଳ ରଣନୀତି ଓ ଉଦାସୀନତାକୁ ଦିଆଯାଇପାରେ । ଏହି ଦୁଇ ଦଳ ବିଜୁ ଜନତା ଦଳକୁ ଏକ ପ୍ରକାର ‘ୱାକ୍ ଓଭର’ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କାରଣରୁ ଫାଙ୍କା ମଇଦାନରେ ଗୋଲ୍ ପରେ ଗୋଲ୍ ମାରି ଚାଲିଛି ବିଜେଡି।

ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିଜେପୁର ଲାଗି ଯେଉଁ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରାଯାଇଥିଲା, ସେଥିରୁ ଅଧିକାଂଶ ଜାତୀୟସ୍ତରର ନେତାଙ୍କୁ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳି ନ ଥିଲା। ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବା ଦଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡା କିମ୍ବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ  ପ୍ରଚାର ଲାଗି ବିଜେପୁର ଆସି ନଥିବା ବେଳେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ , ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ନେତା ମଧ୍ୟ ପ୍ରଚାର ଲାଗି ଆସି ନ ଥିଲେ । ଏହା ସ୍ପଷ୍ଟ କରୁଛି ଯେ ବିଜେପି ଓ କଂଗ୍ରେସର ଜାତୀୟସ୍ତରର ନେତା ବିଜେପୁର ଉପନିର୍ବାଚନକୁ ଗୁରୁତ୍ୱ ଦେଇ ନାହାନ୍ତି । ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ହାତରେ ବିଜେପୁର ପ୍ରଚାରର ମଙ୍ଗ ଛାଡ଼ି ଦିଆଯାଇଥିଲା । ହୁଏତ ପ୍ରଭାବଶାଳୀ ପ୍ରଚାର ଅଭାବରୁ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ଆକର୍ଷଣ କେନ୍ଦ୍ରୀଭୂତ ହୋଇପାରି ନଥିଲା।

ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ି ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆ ୫୩,୪୮୨ଟି ଭୋଟ ପାଇଥିବା ବେଳେ ଚଳିତ ଉପ ନିର୍ବାଚନରେ ରୀତା ସାହୁଙ୍କ ସହ ଲଢ଼ି ୩୭,୯୬୩ଟି ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍ ଗତ ବିଧାନସଭା ନିର୍ବାଚନରେ ୧୪,୩୪୪ ଭୋଟ ପାଇଥିବା ବେଳେ ଏଥର କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମାତ୍ର ୫,୮୭୩ଟି ଭୋଟ ପାଇଛନ୍ତି । ଏହାର ବିପରୀତରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୨୦୧୮ ଉପନିର୍ବାଚନରେ ୧,୦୨,୮୭୧ଟି ଭୋଟ ପାଇଥିବା ବେଳେ ଏଥର ୧,୩୫,୯୫୭ ଭୋଟ ପାଇଛନ୍ତି । ଏହି ତଥ୍ୟ ସ୍ପଷ୍ଟ କରୁଛି କି ବିଜେପି ଓ କଂଗ୍ରେସ ଭୋଟ କମିଥିବା ବେଳେ ବିଜେଡ଼ିର ବଢ଼ି ଚାଲିଛି।

ଏହି କଥାକୁ ସ୍ୱୀକାର କରିଛନ୍ତି ଓଡ଼ିଆ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ପରାଜୟ ଲାଗି ପ୍ରାର୍ଥୀଙ୍କୁ ଦୋଷ ଦେଇ ଲାଭ ନାହିଁ । ଆମର ପ୍ରସ୍ତୁତି ଠିକ୍ ନଥିଲା । ଆମେ ସରକାର ବିରୋଧରେ ଲୋକମତ ସୃଷ୍ଟି କରିପାରିଲୁ ନାହିଁ । ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୌଣସି ବଡ଼ ନେତାଙ୍କର ବୟାନ ଏଯାଏଁ ଆସି ନାହିଁ । ତେବେ ପରାଜିତ୍ ପ୍ରାର୍ଥୀ ସନତ ଗଡ଼ତିଆ ସରକାରୀ କଳର ଅପବ୍ୟବହାର , ଅର୍ଥବଳ ଓ ବାହୁବଳ ବ୍ୟବହାର ଯୋଗୁଁ ସେ ହାରିଲେ ବୋଲି ମତ ଦେଇଛନ୍ତି ।

ମୋଟାମୋଟି, ବିଜେପୁର ଉପନିର୍ବାଚନରେ ବିଜେଡ଼ିର ଗଡ଼ ଜିତିବା ଲାଗି ଯେଭଳି ପ୍ରୟାସ ଥିଲା,ଅନ୍ୟ ଦୁଇ ଦଳର ସେଭଳି ପ୍ରୟାସ ଆଦୌ ଦୃଶ୍ୟମାନ ହୋଇ ନ ଥିଲା । ବିଜେପି ଓ କଂଗ୍ରେସ ନିର୍ବାଚନ ହାରିବା ସୁନିଶ୍ଚିତ ମନେକରି କେବଳ ଔପଚାରିକତା ସଂପାଦନ କରୁଥିଲେ ବୋଲି ମନେ ହୁଏ । ଯଦି ଏହି ଦୁଇ ଦଳ ବିଜେଡ଼ି ଭଳି ଜୋର୍ଦାର୍ ପ୍ରୟାସ କରିଥାଆନ୍ତେ, ତେବେ ବିଜୟ ନ ମିଳିଲେ ମଧ୍ୟ  ବିଜୁ ଜନତା ଦଳର ଭୋଟ ସଂଖ୍ୟା ନିଶ୍ଚିତ ଭାବେ ହ୍ରାସ ପାଇଥାନ୍ତା । ହାରିବା ଲାଗି ଯୁଦ୍ଧ ଲଢ଼ିବାର ମନୋଭାବର ଶିକାର ହୋଇଥିବା ବିଜେପି ଓ କଂଗ୍ରେସର ‘ୱାକ୍ ଓଭର’ ବିଜେଡ଼ିକୁ ଏକ ଐତିହାସିକ ବିଜୟ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସମ୍ବନ୍ଧିତ ଖବର