ଧର୍ମେନ୍ଦ୍ରଙ୍କୁ ପିନାକୀଙ୍କ ପ୍ରଶଂସା ପରେ ବିଜେପି-ବିଜେଡ଼ି ଟଣାଓଟରା

ଓଡ଼ିଶାବାସୀଙ୍କ ପାଇଁ ଧର୍ମେନ୍ଦ୍ର ଗର୍ବ ଆଣି ଦେଇଛନ୍ତି: ସଜ୍ଜନ ଶର୍ମା

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା ପରେ ବିଜେଡ଼ି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସଜ୍ଜନ ଶର୍ମା ରବିବାର ପ୍ରତିକ୍ରିୟା ଦେଇଛନ୍ତି। ଶର୍ମା କହିଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଧର୍ମେନ୍ଦ୍ର ଗର୍ବ ଆଣି ଦେଇଛନ୍ତି। ପେଟ୍ରୋଲିୟମ ବିଭାଗ ଓଡ଼ିଶାର ଗରିବ ଘରେ ହସ ଫୁଟାଇଛି। ସେ କହିଛନ୍ତି, ନବୀନ ବାବୁଙ୍କ ଇଙ୍ଗିତରେ ଦେବାଶିଷ ବାବୁ କହିଛନ୍ତି, ଯାହାକୁ କି ଓଡ଼ିଶାବାସୀ ଗ୍ରହଣ କରୁନାହନ୍ତି।

ଅନ୍ୟପକ୍ଷରେ ରାଜ୍ୟ କୃଷି ମନ୍ତ୍ରୀ ଦାମୋଦର ରାଉତ, ପିନାକୀଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଦାମ କହିଛନ୍ତି, ପିନାକୀଙ୍କୁ ଇନ୍ଦିରା ଗାନ୍ଧି ଓ ସଞ୍ଜୟ ଗାନ୍ଧି ମଧ୍ୟ ଭଲ ଲାଗିଥିଲେ। ତେଣୁ ଧର୍ମେନ୍ଦ୍ର ତାଙ୍କୁ ଭଲ ଲାଗିଥିବେ। ଓଡ଼ିଆ ପୁଅ ହିସାବରେ ମୁଁ ଧର୍ମେନ୍ଦ୍ରଙ୍କ ପାଇଁ ଗର୍ବିତ। ସେ ଓଡ଼ିଶା ସ୍ୱାର୍ଥ ଓ ସ୍ୱାଭିମାନ ବିରୋଧୀ କାମ କରୁଛନ୍ତି। ନୀତି, ଆଦର୍ଶ ଓ ମଣିଷକୁ ଅର୍ଥବଳରେ କିଣିବା କ୍ଷମତାଲୋଭୀଙ୍କ କାମ ବୋଲି ଦାମ କହିଛନ୍ତି।

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବରଗଡ଼ ଜିଲ୍ଲା ବିଜେପୁର ବଳ କଷାକଷି ଚାଲିଥିବା ବେଳେ, ପିନାକୀଙ୍କ ପ୍ରଶଂସା ଠିକ୍‌ ନୁହେଁ। ତାଙ୍କର କିଛି ଭିତିରି ଉଦ୍ଦେଶ୍ୟ ଥାଇପାରେ। ଧର୍ମେନ୍ଦ୍ର ନିଜେ ନିଜର ସ୍ଥିତି ଜାଣି ପାରୁ ନାହାନ୍ତି। ପିନାକୀଙ୍କ ପ୍ରଶଂସା ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି। ଦାମବାବୁ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରୁଥିଲେ। ଏବେ ଦାମବାବୁ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରୁଛନ୍ତି।

ସମ୍ବନ୍ଧିତ ଖବର