ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନରେ ବିଜେଡି ଭୋଟ କିଣିଛି ବୋଲି କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ୍‌ ଓରାମ କହିବା ପରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଆମର ଏସ୍‌ବିଆଇ ଥିବା ବେଳେ ତାଙ୍କର ଆରବିଆଇ ଅଛି। ମହରାଥୀ କହିଛନ୍ତି, ଆମେ ଯେଉଁଠି ୫ଶହ ଟଙ୍କା ଦେଉଛୁ, ସେମାନେ ୨ ହଜାର ଟଙ୍କା ଦେଉଛନ୍ତି। ଛତିଶଗଡ଼ ଜରିଆରେ କେନ୍ଦ୍ର ମହାନଦୀ ଦେଉ ନାହିଁ, ପାଣି ତ ନାହିଁ; ପଦ୍ମ ଫୁଟିବ କେଉଁଠି ବୋଲି ମହାରଥୀ ପ୍ରଶ୍ନ କରିଛନ୍ତି।

Advertisment

ବର୍ଷ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପିର ‘ମିଶନ ୧୨୦’ ଉପରେ ମତ ରଖିଛନ୍ତି ପ୍ରଦୀପ ମହରାଥୀ। ସେ କହିଛନ୍ତି ‘୧୨୦’ରୁ ବାମ ପାର୍ଶ୍ୱରୁ ଅଥବା ଡାହାଣ ପାର୍ଶ୍ୱରୁ ଗୋଟିଏ ଲେଖାଏଁ ସଂଖ୍ୟା କାଢ଼ି ନେବା ପରେ ଯାହା ହେବ, ସେତିକି ଆସନରେ ବିଜେପି ବିଜୟୀ ହେବ। ଅର୍ଥାତ ବିଜେପିକୁ ରାଜ୍ୟରେ ୧୨ ରୁ ୨୦ଟି ଆସନ ମିଳିବ। ଏଥି ସହିତ ମହରାଥୀ କହିଛନ୍ତି ୨୦୧୯ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବ।

ନିର୍ବାଚନ ନେଇ ମହରାଥୀ ନିଜର ପ୍ରତିକ୍ରିୟା ଦେବା ପୂର୍ବରୁ ଜୁଏଲ ଓରାମ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକମାନଙ୍କୁ ଓରାମ କହିଥିଲେ, ବିଜେପୁର ଉପ ନିର୍ବାଚନରେ ବିଜେଡି ଜଣି ନାହିଁ ବରଂ ଭୋଟ୍‌ କିଣିଛି। ଭୋଟ କିଣି ଶାସକ ଦଳ ବିଜୟୀ ହୋଇଛି।