ବିଜେଡି-ବିଜେପି ସଂପର୍କକୁ ନେଇ ବୟାନବାଜି ଜାରି

ଟ୍ଵିଟରରେ ନବୀନ ଓ ମୋଦୀଙ୍କୁ ନିରଞ୍ଜନଙ୍କ କଟାକ୍ଷ, ନିଆଁରେ ଘିଅ ଢାଳିଲେ ବିଜୟ

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ପଦବି ନିମନ୍ତେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ପ୍ରଦାନ ପ୍ରସଙ୍ଗରେ ଦ୍ୱିତୀୟ ଦିନ ପାଇଁ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ଵିଟର ଯୋଗେ ନବୀନଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ‘ଭଲ ବନ୍ଧୁ’ ବୋଲି ଅଭିହିତ କରିଛନ୍ତିି। ସେହିଭଳି ବିଜେଡିର ସମର୍ଥନ ଲୋଡ଼ି ବିଜେପି ନିଜର ହିଁ କ୍ଷତି କରିଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏହାର ବିଜେଡି ଜବାବ ଦେଇଛି। କହିଛି ଉଭୟ ବିଜେପି ଓ କଂଗ୍ରେସ ସହିତ ବିଜେଡି ସମଦୂରତା ବଜାୟ ରହିଛି।

ଆଜି ଶ୍ରୀ ପଟ୍ଟନାୟକ ଟ୍ଵିଟ୍‌ କରି କହିଛନ୍ତି, ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ କରିବାକୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ରାଉରକେଲାର ମୁକ୍ତିକାନ୍ତ ଚାଲି ଚାଲି ପ୍ରାୟ ୧୩୦୦ କି.ମି. ରାସ୍ତା ଯାଇ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦିଆଗଲା ନାହିଁ କି ତାଙ୍କ(ପ୍ରଧାନମନ୍ତ୍ରୀଙ୍କ) ପ୍ରତିଶ୍ରୁତି ପୂରଣ ହେଲାନାହିଁ। ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ ଭଳି ପରବର୍ତୀ ଡିଲ୍‌ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ନବୀନ କଥା ହେବା ସମୟରେ ଏହି ଦାବି ପୂରଣ ପାଇଁ ସ୍ମରଣ କରାଇବାକୁ ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି।

ଏହି ଟ୍ଵିଟର ସହିତ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫୋନ ଆଳାପ ସଂପର୍କିତ ବ୍ୟଙ୍ଗଚିତ୍ର ସଂଲଗ୍ନ କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ନେଇ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଳାପକୁ ଫୋନ-ଏ-ଫ୍ରେଣ୍ଡ ବୋଲି ଦର୍ଶାଯାଇଛି। ତେବେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ ନେଇ କଥା ହେବା ବେଳକୁ ‘ଅଲ୍‌ ଲାଇନ ଟୁ ଦିସ୍‌ ରୁଟ୍‌ ଇଜ୍‌ ବିଜି’ ଭାବେ ଚିତ୍ରରେ ଲେଖାଯାଇଛି।

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଗୋଟିଏ ପଟେ ବିଜେଡିକୁ ସମର୍ଥନ ମାଗୁଛନ୍ତିି, ଅନ୍ୟ ପଟେ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗର୍ଜୁଛନ୍ତିି। ଏଭଳି ପରିସ୍ଥିତିରେ ଲୋକେ ବିଜେପିକୁ ଆଉ ବିଶ୍ୱାସକୁ ନେବେନି। ଏ ନେଇ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ଜବାବ ଦେବା ଦରକାର। ଅନ୍ୟଥା ଲୋକେ ଦ୍ୱନ୍ଦ୍ୱରେ ରହିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ ରାଜ୍ୟବାସୀଙ୍କ ଆଗରେ ବିଜେଡି ସବୁବେଳେ ସ୍ପଷ୍ଟ ମତ ରଖିଆସିଛି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦବି ହୋଇଥିବାରୁ ବିଜେଡି ଆଶା କରିଥିଲା ଯେ ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ଜଣେ ପ୍ରାର୍ଥୀ ସେହି ପଦ ପାଇଁ ମନୋନୀତ ହେବେ। ତେବେ ନିର୍ବାଚନ ହେବାରୁ ବିଜେଡି ଆଦର୍ଶଗତ ସମନ୍ଵୟତା କାରଣରୁ ଜେଡିୟୁକୁ ସମର୍ଥନ କରିଥିଲା। ବିଜେପି ଓ କଂଗ୍ରେସଠାରୁ ବିଜେଡି ପୂର୍ବଭଳି ସମଦୂରତା ରକ୍ଷା କରିଛି, ଆଗକୁ ମଧ୍ୟ ଜାରି ରଖିବ। ଏହା ସତ୍ତ୍ୱେ ଯଦି ବିରୋଧୀ ଦଳ ନେତାମାନେ ବୁଝି ଅବୁଝା ହେଉଛନ୍ତି, ଆମର କିଛି କରିବାର ନାହିଁ ବୋଲି ମୁଖପାତ୍ର ଡ. ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର