ଟିଏମ୍‌ସିର ନେତାଙ୍କୁ କିଣିବା ପାଇଁ ବିଜେପି ପଶ୍ଚିମବଙ୍ଗକୁ ଟ୍ରେନ୍‌ରେ ବୋହି ଆଣୁଛି ଟଙ୍କା, ପ୍ରମାଣ ରଖିଛି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ଅଭିଯୋଗ ଆଣି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି(ବିଜେପି) ଟଙ୍କା ଦେଇ ତାଙ୍କ ଦଳୀୟ ନେତାମାନଙ୍କୁ କିଣିବାକୁ ଚେଷ୍ଟା କରୁଛି। ଏ ନେଇ ଟିଏମ୍‌ସିର ନେତାମାନଙ୍କ ସହ ବିଜେପି ଯୋଗାଯୋଗ କରିଥିବା ସେ ଅଭିଯୋଗ କରିଛନ୍ତି। ମମତା କହନ୍ତି କି ‘ଟିଏମ୍‌ସିର ନେତାମାନଙ୍କୁ ବିଜେପି କିଣିବାକୁ ଚାହୁଁଛି। ବିଜେପି ଟିଏମ୍‌ସି ନେତାଙ୍କୁ କଲ୍‌ କରି ତୁମେ କେତେ ଟଙ୍କା ଚାହୁଁଛ ବୋଲି ପ୍ରଶ୍ନ କରୁଛି। ଆସ ଓ ଆମକୁ ସହଯୋଗ କର ବୋଲି ବିଜେପି ଫୋନ୍‌ କଲ୍‌ ଜରିଆରେ କହୁଛି।’ ଟିଏମ୍‌ସିର ବୈଠକରେ ମମତା ଏପରି କହିଥିବା ଜାଣିବାକୁ ମିଳିଛି।

ମମତା ଅଭିଯୋଗ ଆଣି କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପଶ୍ଚିମବଙ୍ଗରେ ଟଙ୍କାର ଖେଳ କରିବାକୁ ଚାହୁଁଛି। ଲୋକମାନେ ଟ୍ରେନ୍‌ରେ ଟଙ୍କା ଧରି ପଶ୍ଚିମବଙ୍ଗ ଆସୁଛନ୍ତି। ସେହି ଟଙ୍କାକୁ ମତଦାତାଙ୍କୁ ଦେଉଛନ୍ତି। ଏ ନେଇ ମୋ ପାଖରେ ପୂର୍ଣ୍ଣ ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରି ମମତା କହନ୍ତି, ‘ତାଙ୍କ ସରକାରର ଏହା ହେଉଛି ଶେଷ ମୁହୂର୍ତ୍ତ। ଲୋକସଭା ନିର୍ବାଚନ ପରେ ପୁଣି ଥରେ ଶାସନ କ୍ଷମତାକୁ ଆସିବା ପାଇଁ ମୋଦିଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ।’

ବିଜେପି ନୀଚ୍ଚ ସ୍ତରୀୟ ରାଜନୀତି କରୁଛି ବୋଲି ସେ ଆକ୍ଷେପ କରୁଛନ୍ତି। ବିଜେପିକୁ ବିଦା କରି ଲୋକମାନେ ନୂଆ ସରକାର ଚାହାନ୍ତି। ପୁଲଓ୍ଵାମା ଆକ୍ରମଣ ସଂପର୍କରେ ମମତା ବାନାର୍ଜୀ କହିଛନ୍ତି କି ଯୁଦ୍ଧ ନାମରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ଜୀବନ ସହ ଖେଳିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର