କଂଗ୍ରେସକୁ ବିଜେପିର ଆହ୍ଵାନ:ପଟିଦାର ସଂରକ୍ଷଣର ରୂପରେଖ ପ୍ରକାଶ କର

ଅହମଦାବାଦ: ହାର୍ଦ୍ଦିକ ପଟେଲଙ୍କ ପରି ପଟିଦାର ନେତାଙ୍କୁ ତାଙ୍କ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲୋଭ ଦେଖାଇ ନିର୍ବାଚନରେ ପଟିଦାର ଭୋଟରଙ୍କୁ ହାତେଇବାକୁ ଚାହୁଥିବା କଂଗ୍ରେସକୁ ଆଜି ବିଜେପି ଏ ସମ୍ପର୍କରେ କଡ଼ା ଆହ୍ଵାନ କରିଛି। ସଂରକ୍ଷଣ ବାବଦରେ ପଟିଦାରମାନଙ୍କୁ କଂଗ୍ରେସ ମିଛରେ ପ୍ରଲୋଭିତ କରି ବାଟବଣା କରୁଛି ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିୟୋଗ କରିଛନ୍ତି। ସାମଗ୍ରିକ ଭାବରେ ସଂରକ୍ଷଣ ପରିମାଣକୁ ୫୦ ପ୍ରତିଶତରେ ସୀମିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ କଂଗ୍ରେସ କିଭଳି ପଟିଦାରମାନଙ୍କୁ ନୂଆ ପ୍ରକାର ସଂରକ୍ଷଣ ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛି, ତାହାର ରୂପରେଖ ପ୍ରକାଶ କରିବାକୁ ସେ ଆହ୍ଵାନ କରିଛନ୍ତି।

ଉଲ୍ଲେଖ ଥାଉ କି, କଂଗ୍ରେସ ଗୁଜରାଟରେ ଶାସନକୁ ଆସିଲେ ସମ୍ବିଧାନର ଧାରା ୩୧(ଗ) ଅନୁସାରେ ପଟିଦାରମାନଙ୍କ ପାଇଁ ସଂରକ୍ଷଣ ସୁବିଧା ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିବା କଥା ଗତ ସପ୍ତାହରେ ପଟିଦାର ନେତା ହାର୍ଦ୍ଦିକ ଘୋଷଣା କରିଥିଲେ। ତେବେ ଏହାର ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର। ସଂରକ୍ଷଣ ସଂକ୍ରାନ୍ତ ୧୯୯୨ର ଚର୍ଚ୍ଚିତ ଇନ୍ଦ୍ରା ସାହାଣୀ ମାଲା ସମେତ ୭ଟି ବିଭିନ୍ନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଦ୍ଧାର କରି ରବିଶଙ୍କର କଂଗ୍ରେସ କିପରି ୫୦ ପ୍ରତି ଶତ ବାଦ୍‌ ସଂରକ୍ଷଣ ସୁବିଧା ଦେବ ବୋଲି ପ୍ରଶ୍ନ କରିଛନ୍ତି। ରାଜନୈତିକ ସୁବିଧା ହାସଲ ପାଇଁ କଂଗ୍ରେସ ଏପରି ଭୋଟରଙ୍କୁ ଭୁଆଁ ବୁଲାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର