ଦୁର୍ଷ୍କମ ବିରୁଦ୍ଧରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ମହିଳା ବିରୋଧୀ । ଏଠି ମହିଳାଙ୍କୁ ସୁରକ୍ଷା ନୁହେଁ ବରଂ ସବୁ ସମୟରେ ସେମାନଙ୍କୁ ଅପମାନିତ ଓ ଅସମ୍ମାନିତ କରାଯାଉଛି । ଖୋଦ୍‌ ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ମହିଳାଙ୍କ ସହ ଦୁର୍ଷ୍କମ କରିଚାଲିଛନ୍ତି । ପ୍ରତିଦିନ ନାବାଳିକା ଓ ମହିଳାଙ୍କ ସହ ଦୁର୍ଷ୍କମ ହେବା ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଛି । ରାଜ୍ୟରେ ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । କଠୋର ଆଇନର ଅଭାବ ଏବଂ ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତାରେ ଅପରାଧୀମାନେ ନିର୍ଭିକ ଭାବେ ଅପରାଧ ଘଟାଇ ଚାଲିଛନ୍ତି । ସବୁ ସମୟରେ ଶାସକ ଦଳ ମହିଳାଙ୍କୁ ଏକ ବସ୍ତୁ ଭାବି ବ୍ୟବହାର କରି ଚାଲିଛି ।

ମୁଖ୍ୟମନ୍ତ୍ରୀ ଖୋଦ୍‌ ଗୃହ ବିଭାଗର ମୁଖ୍ୟ ଥାଇ ବି ଦୁର୍ଷ୍କମ ପୀଡିତା ମହିଳା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ଦେଇ ପାରୁନାହାଁନ୍ତି । ଦୀର୍ଘ ୨୦ ବର୍ଷ ବିଜେଡି ଶାସନରେ ନାବାଳିକା ଓ ମହିଳା ଅଧିକ ନିର୍ଯ୍ୟାତିତା ହୋଇଛନ୍ତି । ଏହାର ପ୍ରତିବାଦରେ ଆଜି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ମହିଳା ଏକାଠି ହୋଇ ମାଷ୍ଟରକ୍ୟାଣ୍ଟିନ ଠାରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

୨୦୧୯ ଚଳିତ ବର୍ଷ ପ୍ରଥମ ୫ ମାସରେ ୯୩୭ଟି ଧର୍ଷଣ ମାମଲା ପଂଜୀକୃତ ହୋଇଛି ବୋଲି ଶାସକ ଦଳ ପକ୍ଷରୁ ବିଧାନସଭା ପ୍ରଶ୍ନର ଉତ୍ତରରେ ରଖାଯାଇଛି । ବିଶେଷ କରି ରାଜ୍ୟରେ ନାବାଳିକାଙ୍କ ସହ ଦୁର୍ଷ୍କମ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଏ ସଂର୍ପକରେ ଚିନ୍ତା ନକରି ବିଧାନସଭା ଗୃହରେ ଓଲଟା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଓ ନିନ୍ଦନୀୟ । ପୁରୀରେ ରଥଯାତ୍ରା ଚାଲିଥିବା ସମୟରେ ପୁରୀ ବସଷ୍ଟାଣ୍ଡରେ ଜଣେ ନାବାଳିକା ସହ ଦୁର୍ଷ୍କମ ହୋଇଥିଲା । ଚଳିତ ମାସ ୨୨ ତାରିଖ ଦିନ ସୁନ୍ଦରଗଡରେ ୩ ଜଣ ନାବାଳିକାଙ୍କ ସହ ଦୁର୍ଷ୍କମ ହୋଇଛି । ସେହିପରି ଚଳିତ ବର୍ଷ ପ୍ରଥମ ୩ ମାସରେ ୬୦୨ ଶିଶୁ ନିଖୋଜ ଥିଲେ ।

ସେମାନଙ୍କ ମଧ୍ୟରୁ ୫୦୨ ଜଣ ହେଉଛନ୍ତି ନାବାଳିକା । ଏବେ ସୁଦ୍ଧା ବି ୪୨୩ ଜଣ ନାବାଳିକାଙ୍କ ସନ୍ଧାନ ମିଳିନାହିଁ । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ ଗୃହ ବିଭାଗ ପକ୍ଷରୁ ଆୟୋଜନ ହୋଇଥିବା ପରୀ ସଚେତନତା କାର୍ଯ୍ୟକ୍ରମ ସଂପୂର୍ଣ୍ଣଭାବେ ଫେଲ ମାରିଛି । ମା’ କୁ ସମ୍ମାନର ନାରା ଦେଉଥିବା ସରକାର ଆଜି ମା’ମାନଙ୍କୁ ସୁରକ୍ଷା ଦେଇ ପାରୁନାହିଁ । କ୍ଷମତା ଲୋଭରେ ମୁଖ୍ୟମନ୍ତ୍ରୀ କେବଳ ଗାଦି ମାଡି ବସି କ୍ଷମତା ପୀପାସୁ ସାଜିଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, କାନନବାଳା ପଟ୍ଟନାୟକ, ନିୟତିଗିରି, ରଶ୍ମିରେଖା ଦାସ, ସୋନାଲି ସାହୁ, ଇରାନୀ ରୟ, ମାନସୀ ମଂଜରୀ ରାୟ ପାଢୀଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ ।

ସମ୍ବନ୍ଧିତ ଖବର