ଭୁବନେଶ୍ୱର : ବିଧାନସଭା ଅଧିବେଶନ ପାଇଁ ବିଜେପି ଆଜି ତା’ର ରଣନୀତି ପ୍ରସ୍ତୁତ କରିଛି। ବିଜେଡି କେନ୍ଦ୍ରକୁ ଟାର୍ଗେଟ୍ କରି ରଣନୀତି ପ୍ରସ୍ତୁତ କରିଥିଲା ବେଳେ ବିଜେପି ବି ପାଲ୍ଟା ଆକ୍ରମଣ କରିବାକୁ ଅଣ୍ଟା ଭିଡ଼ିଛି। ଚାଷ ଓ ଚାଷୀଙ୍କ ସମସ୍ୟାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିଟି ଦୁର୍ବଳତାକୁ ପଦାକୁ ଆଣି ବିଧାନସଭାରେ ଘେରିବ। ପାନୀୟ ଜଳର ଉତ୍କଟ ସମସ୍ୟାକୁ ବି ବିଜେପି ଗୃହରେ ଜୋର୍ଦାର୍ ଉଠାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସଭାପତିତ୍ୱରେ ବିଧାୟକ ଦଳ ବୈଠକ ବସିଥିଲା। ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ପ୍ରସଙ୍ଗ ଉଠାଯିବ, ତାହାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ଏହି ପ୍ରସଙ୍ଗ ମଧ୍ୟରେ ଚାଷୀ ଆତ୍ମହତ୍ୟା, ଚାଷୀ ଫସଲ ବୀମା ନ ପାଇବା ଇତ୍ୟାଦି ଅଛି। ଏହା ସହ କେନ୍ଦ୍ର ସରକାର ଇନ୍ପୁଟ୍ ସବ୍ସିଡି ବାବଦକୁ ଅର୍ଥ ପ୍ରଦାନ କରିଥିଲେ ବି ରାଜ୍ୟ ସରକାର ତାହାକୁ ବିତରଣ କରିପାରୁ ନାହାନ୍ତି। ଚାଷ ପ୍ରସଙ୍ଗରେ ରାଜ୍ୟ ସରକାର ସବୁବେଳେ କେନ୍ଦ୍ରକୁ ଦୋଷ ଠେଲୁଥିଲେ ବି, ରାଜ୍ୟ ସରକାର ଯେ ଚାଷୀ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ, ତାହା ପ୍ରମାଣିତ କରିବାକୁ ବିଜେପି ଗୃହରେ ଉଦ୍ୟମ କରିବ।
ଖରା ଦିନ ଆସିଯାଇଥିବା ବେଳେ ସାରା ରାଜ୍ୟରେ ପାନୀୟ ଜଳ ସମସ୍ୟା ଉତ୍କଟ ଆକାର ଧାରଣ କରିଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ବିଜେପିର ଅଭିଯୋଗ ରହିଛି, ରାଜ୍ୟ ସରକାର କାଗଜପତ୍ରରେ ପାନୀୟ ଜଳ ଯୋଗାଣ ନେଇ ଗୋଲାପି ତଥ୍ୟ ଦେଉଛନ୍ତି। କିନ୍ତୁ ବାସ୍ତବତା ଠାରୁ ତାହା ଦୂରରେ। ଉପକୂଳ ଠାରୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ସବୁଠି ପାନୀୟ ଜଳର ଅଭାବ ରହିଛି। ଏହି ପ୍ରସଙ୍ଗକୁ ଗୃହରେ ଗୁରୁତର ସହ ଉଠାଇବାକୁ ବିଜେପି ରଣନୀତି ସ୍ଥିର କରିଛି।
ବର୍ତ୍ତମାନ ଶିକ୍ଷକ ଆନ୍ଦୋଳନ ଚର୍ଚ୍ଚାରେ ରହିଛି। ବିଜେପି ଏହାକୁ ପ୍ରସଙ୍ଗ କରି ଆରମ୍ଭରୁ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବାରମ୍ବାର ଶିକ୍ଷକ ଆନ୍ଦୋଳନ ହେଉଛି ଓ ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି।
ଗତ କିଛି ଦିନ ହେଲା ବାଲି ମାଫିଆଙ୍କ ଦୌରାତ୍ମ୍ୟ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଛି। ବିଜେପି ଏହାକୁ ଗୃହରେ ଉଠାଇବ ବୋଲି ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଶାସକ ଦଳର ପ୍ରୋତ୍ସାହନରେ ବାଲି ମାଫିଆଙ୍କ ଉପଦ୍ରବ ବଢ଼ିଛି ଓ ସରକାରୀ ଅଧିକାରୀମାନେ ଆକ୍ରମଣର ଶିକାର ହେଉଛନ୍ତି। ବାହାର ରାଜ୍ୟକୁ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଛି। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କ ମୁଖା ଖୋଲିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ଏହାବାଦ୍ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, କୁନ୍ଦୁଲି ଘଟଣା, ପିସି କାରବାର, ମହିଳାଙ୍କ ଉପରେ ନିର୍ଯାତନା ଆଦି ପ୍ରସଙ୍ଗ ବିଜେପି ଉଠାଇବ ବୋଲି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ବିଧାୟକ ଦୁର୍ଯ୍ୟୋଧନ ମାଝୀ, ବିଭୂତି ହରିଚନ୍ଦନ, ଦିଲ୍ଲୀପ ରାୟ ଓ ଗୋବିନ୍ଦ ଦାସ ଅନୁପସ୍ଥିତ ଥିଲେ। ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ସମେତ ଅନ୍ୟ ୫ ବିଧାୟକ ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ରବି ନାଏକ ଓ ନୀତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ।