ଆରମ୍ଭରୁ ବିବାଦ : ସାମ୍ବାଦିକ ସମ୍ମିଳନୀ ଘୁଞ୍ଚାଇବା ନେଇ ପ୍ରଶ୍ନ ଉଠିଲା

ମୋଦୀଙ୍କ ରୢାଲି, ରାଜେଙ୍କ ମାଗଣା ବିଜୁଳି ଘୋଷଣାକୁ ନେଇ ବିବାଦ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଥିବା ବେଳେ ପ୍ରଥମ ଦିନରୁ ହିଁ ବିବାଦ ଦେଖାଦେଇଛି। ନିର୍ବାଚନ କମିସନଙ୍କ ସ୍ବାଧୀନତା ଉପରେ ଆଜି କଂଗ୍ରେସ ପ୍ରଶ୍ନ ଉଠାଇଛି। ନିର୍ବାଚନ ତାରିଖ ଘୋଷଣା ପାଇଁ କମିସନଙ୍କ ସାମ୍ବାଦିକ ସମ୍ମିଳନୀ ସମୟ ଘୁଞ୍ଚାଇବା ଏବଂ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମାଗଣା ବିଜୁଳି ଘୋଷଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ଦଳ ନିର୍ବାଚନ କମିସନଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଛି। ଉଲ୍ଲେଖ‌େଯାଗ୍ୟ, ନିର୍ବାଚନ ତାରିଖ ଘୋଷଣା କରିବା ଲାଗି କମିସନ୍ ଆଜି ଅପରାହ୍ନ ୧୨.୩୦ରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। କିନ୍ତୁ ପରେ ଏହାକୁ ୩ ଘଣ୍ଟା ବିଳମ୍ବ କରାଯାଇଥିଲା। ପରେ ଅପରାହ୍ନ ୩.୩୦ରେ ସମ୍ମିଳନୀରେ ଇସି ନିର୍ବାଚନ ତାରିଖ ଘୋଷଣା କରିଥିଲେ। କେଉଁ ପରିସ୍ଥିତିରେ ଇସିଙ୍କୁ ଏଭଳି ସମୟ ବଦଳାଇବାକୁ ପଡ଼ିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଯେୱାଲା ଟ୍ବିଟ୍‌ କରି କହିଛନ୍ତି, ରାଜସ୍ଥାନର ଆଜ୍‌ମେରରେ ଆଜି ଅପରାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସମା‌େବଶ ଥିବାରୁ ନିର୍ବାଚନ କମିସନ୍ ବିଧାନସଭା ନିର୍ବ‌ାଚନ ତାରିଖ‌ ଘୋଷଣାକୁ ୩ ଘଣ୍ଟା ଗଡ଼ାଇଦେଲେ। ତା’ଛଡ଼ା ନିର୍ବାଚନ କମିସନ୍‌ଙ୍କ ଘୋଷଣା ପୂର୍ବରୁ ବିଜେପି ଆଇଟି ସେଲ୍‌ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଟ୍ବିଟ୍ କରିଛି। ତେବେ ବିଜେପି କ’ଣ ନିର୍ବାଚନ କମିସନ୍‌ଙ୍କ ଉପରେ ଅଥବା ସୁପର୍‌ ଇସି କି ବୋଲି ସୁର୍ଯେୱାଲା ପ୍ରଶ୍ନ କରିଛନ୍ତି।

ଆଜି ନିର୍ବାଚନ ତାରିଖ ଘୋଷଣା ହେବା ସହିତ ୫ଟି ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି। କିନ୍ତୁ ତାରିଖ ଘୋଷଣାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଜ୍‌ମେର ରୢାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟର ଚାଷୀଙ୍କ ପାଇଁ ମାଗଣା ବିଜୁଳି ଘୋଷଣା କରିଛନ୍ତି। ତାରିଖ ଘୋଷଣା ପ‌େର ର‌ାଜେ ଏଭଳି ଘୋଷଣା କରିପାରିନଥାନ୍ତେ। ତେଣୁ ଏଥିରେ କିଛି ଷଡ଼ଯନ୍ତ୍ର କରାଯାଇଥିବା ଦଳ ଆଶଙ୍କା କରିଛି। କଂଗ୍ରେସର ଛତିଶଗଡ଼ ପ୍ରଭାରୀ ପି ଏଲ୍ ପୁନିଆ କହିଛନ୍ତି, ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଆମେ ଦାବି କରିଥିଲୁ। କିନ୍ତୁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ଘୋଷଣା ହୋଇଛି। କ୍ଷମତାରେ ଥିବା ବିଜେପି ସରକାର ଏହାର ଦୁରୁପଯୋଗ କରିବ ବୋଲି ସେ ଅଭିଯୋଗ ଉଠାଇଛନ୍ତି।

ସମ୍ବନ୍ଧିତ ଖବର