ବିଜେପି କୃଷକ ମୋର୍ଚ୍ଚାର ସମାବେଶ : କୃଷି ଋଣ ଛାଡ଼ ଓ ବୋନସ୍‌ ଦାବି ଜୋର୍‌ଦାର୍‌ ହେବ

ବିଜେପି ଶାସନକୁ ଆସିଲେ କୃଷି ଋଣ ଛାଡ଼ ହେବ: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରି କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଓଡ଼ିଶା ସରକାର ଚାଷୀଙ୍କୁ ହତାଦର କରି ଚାଲିଛନ୍ତି। କୃଷି ଋଣ ଛାଡ଼ କରୁ ନାହାନ୍ତି କି ଧାନର ଏମ୍‌ଏସ୍‌ପି ଉପରେ ବୋନସ୍‌ ଦେଉ ନାହାନ୍ତି। ଏହି ଦୁଇଟି ଦାବି ନେଇ ବିଜେଡି ଜୋର୍‌ଦାର୍‌ ଆନ୍ଦୋଳନ କରିବ ବୋଲି ଦଳର କୃଷକ ମୋର୍ଚ୍ଚା ତରଫରୁ ଆଜି ଅନୁଷ୍ଠିତ ଏକ ସମାବେଶରେ ନେତୃବୃନ୍ଦ ସୂଚନା ଦେଇଛନ୍ତି। ଏହା ସହ ବିଜେପି ଶାସନକୁ ଆସିଲେ ପ୍ରଥମେ କୃଷି ଋଣ ଛାଡ଼ ହେବ ବୋଲି ଦୁଇ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କହିଲେ, ଦୀର୍ଘ ୧୮ ବର୍ଷ ଶାସନ ପରେ ବି ବିଜେଡିର ଚାଷୀ ମାରଣ ନୀତି ଯୋଗୁଁ ଆଜି ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି। ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ କୃଷି ଋଣ ଛାଡ଼ କରିବାରେ କାହିଁକି ବିଳମ୍ବ କରୁଛନ୍ତି ? ୨୦୧୯ରେ ରାଜ୍ୟରେ ବିଜେପି ସରକାର ଆସିଲା ପରେ ତୁରନ୍ତ କୃଷକମାନଙ୍କର ସମସ୍ତ କୃଷି ଋଣ ଛାଡ଼ କରାଯିବ ବୋଲି ଶ୍ରୀ ଓରାମ କହିଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପଡ଼ୋଶୀ ରାଜ୍ୟମାନେ କୃଷି ଋଣ ଛାଡ଼ କରୁଥିବା ସମୟରେ ଓଡ଼ିଶା ସରକାର ମୁହଁ ଖୋଲୁ ନାହାନ୍ତି। ସେପଟେ ଚାଷୀଙ୍କୁ ତଳିତଳାନ୍ତ କରିଥିବା କଂଗ୍ରେସ ଏବେ ହିସାବ କିତାବ ପାଉ ନାହିଁ। ମୋଦି ସରକାରଙ୍କ କୃଷକ କଲ୍ୟାଣ ଯୋଜନାର ଉପଲବ୍ଧି ନେଇ ରାଜ୍ୟର ଘରେ ଘରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ କୃଷକ ମୋର୍ଚ୍ଚା ପ୍ରତି ଘରକୁ ନେଇଯିବ। ରାଜ୍ୟ ସରକାର କେବେ ବୋନସ୍‌ ଦେବେ ଓ କୃଷି ଋଣ ଛାଡ଼ କରିବେ, ତାହାର ଜବାବ ମାଗିବ କୃଷକ ମୋର୍ଚ୍ଚା। କୃଷକମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଦାୟିତ୍ୱ ସହକାରେ କରୁଛନ୍ତି। ଭାଗଚାଷୀମାନେ କିପରି ଋଣ ପାଇବେ, ଏ ନେଇ ଖୁବ୍‌ ଶୀଘ୍ର ବିଲ୍‌ ଆସିବ। ଓଡ଼ିଶାରେ ରହିଥିବା ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ଓ ଭାଗଚାଷୀମାନେ ଋଣ ନ ପାଇ ସାହୁକାର ଓ ଚିଟ୍‌ଫଣ୍ଡ୍‌ ପରି ସଂସ୍ଥା ଦ୍ୱାରା ଶୋଷଣର ଶୀକାର ହେଉଥିଲେ। କେନ୍ଦ୍ର ସରକାର ଭାଗଚାଷୀ ବିଲ୍‌ ଆଣିଲେ ସେମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ। ଚାଷ ଓ ଚାଷୀଙ୍କ କଥା କହିଲେ ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର କଥା କହି ବାହାବା ନେଉଛନ୍ତି। ଯଦି କୃଷି କର୍ମଣ ପୁରସ୍କାର ପାଇଛ, ତା’ହେଲେ ଜଳସେଚନ କୁଆଡ଼େ ଗଲା ଓ ଚାଷୀ ଆତ୍ମହତ୍ୟା କାହିଁକି ହେଉଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର