ହୀନ ରାଜନୈତିକ ଉଦ୍ୟମ ରଖି ପ୍ରତିବାଦ : ବିଜେପି

ଭୁବନେଶ୍ୱର : ଉଜ୍ଜଳା ଯୋଜନାରେ ଦୁର୍ନୀତିର ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ହୋଇଥିବା ପ୍ରତିବାଦକୁ ହୀନ ରାଜ‌ନୈତିକ ଉଦ୍ୟମ ବୋଲି ବିଜେପି କହିଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ବିଜେଡିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୟ ଘାରିଛି। ସେଥି ପାଇଁ ଆଇଓସିଏଲ୍ ଅଫିସ୍ ସାମ୍ନାରେ ବିଜେଡି ବି‌େକ୍ଷାଭ ପ୍ରଦର୍ଶନ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ଉଜ୍ଜଳା ଯୋଜନା ଆଜି ୩୪ ଲକ୍ଷ ପରିବାରରେ ଖୁସି ଭରି ଦେଇଛି। ଏହି ଯୋଜନା ସମ୍ପର୍କରେ ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଆହ୍ବାନ ଦେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ପଛଘୁଞ୍ଚା କାହିଁକି ଦେଉଛନ୍ତି। ପେଟ୍ରୋଲ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସିଂହଭାଗ ଟିକସ ରାଜ୍ୟ ସରକାର ନେଉଛନ୍ତି। କେବଳ ରାଜନୈତିକ ଅଭିସନ୍ଧି ରଖି ଏପରି ଅଭିଯୋଗ କରାଯାଉଛି। ୨୦୧୮ ମସିହା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୨୩ ଲକ୍ଷ ଗରିବ ମହିଳା ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିଲା ବେଳେ ଜୁନ୍, ଜୁଲାଇ ଓ ଅଗଷ୍ଟ ୩ ମାସରେ ଏଥି ମଧ୍ୟରୁ ୧୬ ଲକ୍ଷ ହିତାଧିକାରୀ ଗ୍ୟାସ୍ ରିଫିଲିଙ୍ଗ୍ କରିଛନ୍ତି ବୋଲି ବିଧାନସଭାରେ ଯୋଗାଣ ମନ୍ତ୍ରୀ ସ୍ବୀକାର କରିଛନ୍ତି। ଏଥିରେ ପୁଣି ବିଜେଡି କିପରି ପ୍ରଶ୍ନ ଉଠାଉଛି। ସାରା ଦେଶରେ ଓ ରାଜ୍ୟରେ ଉଜ୍ଜଳା ଯୋଜନାରେ ହିତାଧିକାରୀ ଚୟନ ଜନଗଣନାର ଏସ୍ଇସିସି ତାଲିକା ଆଧାରରେ ତିଆରି କରାଯାଇଛି। ଏହି ଏସ୍ଇସିସି ତାଲିକା ସାର୍ବଜନୀନ ଭାବେ ଉପଲବ୍ଧ ଓ ଏଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ କରି ଲେଖାଶ୍ରୀ କହିଛନ୍ତି, ୭୦୦ କୋଟି ଡାଲି ଦୁର୍ନୀତିରେ ଅଭିଯୁକ୍ତଙ୍କ ମୁହଁରେ ଯେଉଁ ମନ୍ତବ୍ୟ ଦିଆଯାଉଛି ତାହାର କୌଣସି ଅର୍ଥ ନାହିଁ।

ସମ୍ବନ୍ଧିତ ଖବର