ବିଜେପିକୁ ଝଟ୍‌କା : ୟୁପି, ବିହାରରେ ସମସ୍ତ ୩ ଆସନରେ ହାରିଲା

ୟୁପିରେ ଧୂଳି ଚଟାଇଲା ଏସ୍‌ପି-ବିଏସ୍‌ପି ମେଣ୍ଟ
ଯୋଗୀଙ୍କ ଗଡ଼ ଗୋରଖପୁରରେ ହାରିଲା
ଫୁଲପୁର ଆସନ ବି ବିଜେପି ହାତରୁ ଗଲା
ବିହାରର ଆରାରିଆରେ ଆରଜେଡି ବିଜୟୀ

ନୂଆଦିଲ୍ଲୀ : ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିକୁ ଗୁରୁତର ଝଟକା ଲାଗିଛି। ଉତ୍ତର ପ୍ରଦେଶ ଏବଂ ବିହାରର ତିନିଟି ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ପରାଜିତ ହୋଇଛି। ଏଥିରେ ରହିଛି ବିଜେପିର ଦୁର୍ଗ ରୂପେ ପରିଚିତ ଉତ୍ତର ପ୍ରଦେଶର ଗୋରଖପୁର ଆସନ। ୧୯୮୯ରୁ ଏହି ଆସନ ବିଜେପି ଦଖଲରେ ଥିଲା। ଏଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ଥର କ୍ରମାଗତ ଭାବେ ବିଜୟୀ ହୋଇଥିଲେ। ବିଜେପି ଆଜି ହାରିଥିବା ଅନ୍ୟ ଦୁଇଟି ଆସନ ହେଲା ୟୁପିର ଫୁଲପୁର ଏବଂ ବିହାରର ଆରାରିଆ।

ତିନିଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଅପ୍ରତ୍ୟାଶିତ ବିଜୟର ଅଳ୍ପ ଦିନ ମଧ୍ୟରେ ବିଜେପି ଏଭଳି ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ତ୍ରିପୁରାରେ ଐତିହାସିକ ବିଜୟ ପରେ ନାଗାଲାଣ୍ଡ ଏବଂ ମେଘାଳୟରେ ବିଜେପି ମେଣ୍ଟ ସରକାର ଗଠନ କରିଛି। ଏହାକୁ ନେଇ ଉତ୍ସବର ମାହୋଲ ଚାଲିଥିବା ବେଳେ ଆଜିର ଉପନିର୍ବାଚନ ଫଳାଫଳ ଏହାକୁ ଫିକା କରିଦେଇଛି।

ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ଗୋରଖପୁର ଏବଂ ଫୁଲପୁର ଲୋକସଭା ଆସନ ଖାଲି ପଡ଼ିଥିଲା। ୨୦୧୪ ନିର୍ବାଚନରେ ଉଭୟ ଆସନରେ ସେମାନେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ଉପନିର୍ବାଚନରେ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଏହି ଦୁଇଟି ଆସନକୁ ଛଡ଼ାଇ ନେଇଛି। ଗୋରଖପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ କୁମାର ନିସାଦ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ୨୧ ହଜାର ୯୬୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିଭଳି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦ୍ୱାରା ଖାଲି ହୋଇଥିବା ଫୁଲପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ସିଂହ ପଟେଲ ବିଜେପି ପ୍ରାର୍ଥୀ କୌଶଳେନ୍ଦ୍ର ସିଂହ ପଟେଲଙ୍କୁ ୫୯ ହଜାର ୬୧୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଉଭୟ ଆସନରେ କଂଗ୍ରେସ ଦଳ ଅମାନତ ହରାଇଛି। ଶାସକ ବିଜେପି ପାଇଁ ଏହି ଉପନିର୍ବାଚନ ସମ୍ମାନର ଲଢ଼େଇ ଥିବା ବେଳେ ଏଥିରେ ଦଳର ସବୁ ଗଣିତ ଓଲଟପାଲଟ ହୋଇଯାଇଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ମିଳିତ ଶକ୍ତି ଆଗରେ ବିଜେପି ହାର୍‌ ମାନିଛି। ଦୁଇଟି ଯାକ ଆସନରେ ମାୟାବତୀଙ୍କ ବିଏସପି ସମାଜବାଦୀକୁ ସମର୍ଥନ କରିଥିଲା।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏସ୍‌୍‌ପି-ବିଏସ୍‌୍‌ପି ମେଣ୍ଟର ଏହି ସଫଳତା ବିଜେପି ପାଇଁ ବିଶାଳ ଚ୍ୟାଲେଂଜ ସୃଷ୍ଟି କରିଛି । ୨୦୧୯ ନିର୍ବାଚନ ପାଇଁ ଆଜିର ଫଳାଫଳ ୟୁପିରେ ମହାମେଣ୍ଟ ପାଇଁ ରାସ୍ତା ସଫା କରିଦେଇଛି। ଗୋରଖପୁରରେ ବିଜେପିର ପରାଜୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଆସନରୁ ୫ ଥର ସାଂସଦ ନିର୍ବାଚିତ ହୋଇଥିବା ଆଦିତ୍ୟନାଥ ଗତବର୍ଷ ମୁଖ୍ୟମନ୍ତ୍ରୀ ହେବାପରେ ଏହି ଆସନ ଖାଲି କରିଥିଲେ ଏବଂ ମାତ୍ର ବର୍ଷକ ବ୍ୟବଧାନରେ ଏଠାରେ ବିଜେପିର ପତନ ଦଳର ନିଦ ହଜାଇ ଦେଇଛି।

ସେହିଭଳି ବିହାରର ଆରାରିିଆ ଲୋକସଭା ଆସନରେ ଆରଜେଡି ପ୍ରାର୍ଥୀ ସରଫରାଜ ଆଲମ ୬୧ ହଜାର ୯୮୮ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏଠାରେ ଆଲମଙ୍କୁ ୫୦୯୩୩୪ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ସିଂଙ୍କୁ ୪୪୭୩୪୬ଟି ଭୋଟ୍‌ ମିଳିଛି । ସରଫରାଜ ହେଉଛନ୍ତି ଆରଜେଡି ନେତା ତଥା ପୂର୍ବ ସାଂସଦ ମହମ୍ମଦ ତସଲିମୁଦ୍ଦିନଙ୍କ ପୁଅ। ସେହିଭଳି ଉପନିର୍ବାଚନ ହୋଇଥିବା ୨ଟି ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀ କୁମାର କୃଷ୍ଣ ମୋହନ ଯାଦବ ଜାହାନବାଦ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରିଙ୍କି ରାଣୀ ପାଣ୍ଡେ ଭବୁଆ ଆସନରେ ବିଜୟୀ ହୋଇଛନ୍ତି।

ଉତ୍ତର ପ୍ରଦେଶ ରାଜନୀତିରେ ପରମ ଶତ୍ରୁ ଭାବେ ବିବେଚିତ ହେଉଥିବା ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ବିଜେପିର ବିଜୟ ଯାତ୍ରାକୁ ରୋକିବା ପାଇଁ ହାତ ମିଳାଇ ସଫଳ ହୋଇଥିବାରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶରେ ଉଭୟ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେଇଥିବା ବେଳେ ବିଏସ୍‌ପି ସମର୍ଥନ ଯୋଗାଇ ଦେଇଥିଲା। ବିଏସ୍‌ପିକୁ ଚଳିତ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ସମର୍ଥନ କରିବା ସର୍ତ୍ତରେ ବିଏସ୍‌ପି ସମାଜବାଦୀ ପାର୍ଟିକୁ ଏହି ସମର୍ଥନ ଦେଇଥିଲା।

ସେହିଭଳି ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଣ୍ଟର ପତନ ଘଟାଇ ବିଜେପିର ହାତ ଧରିଥିବା ନୀତୀଶ କୁମାରଙ୍କ ପାଇଁ ଏହି ଉପନିର୍ବାଚନ ଏକ ଅଗ୍ନି ପରୀକ୍ଷା ଥିବା ବେଳେ ଏଥିରେ ତାଙ୍କୁ ନିରାଶା ମିଳିଛି । ଭୋଟରଙ୍କ ସହ ନୀତୀଶ ବିଶ୍ୱାସଘାତ କରିଛନ୍ତି ବୋଲି ଆରଜେଡି ଅଭିଯୋଗ କରି ଆସୁଥିବା ବେଳେ ନୀତୀଶ କିନ୍ତୁ ରାଜ୍ୟ ସ୍ୱାର୍ଥରେ ମହାମେଣ୍ଟରୁ ଓହରିଥିବା କହି ଆସୁଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ବେଳେ ତାଙ୍କ ପୁଅ ତେଜସ୍ୱୀ ଯାଦବ ବିହାରରେ ଆରଜେଡିର ପ୍ରଚାର ଅଭିଯାନର ମଙ୍ଗ ଧରିଥିଲେ। ଏଥିରେ ତାଙ୍କର ନେତୃତ୍ୱ ଦକ୍ଷତା ପ୍ରମାଣିତ ହୋଇଥିବା ବେଳେ ଏନ୍‌ଡିଏ ପାଇଁ ସଙ୍କଟ ବଢ଼ିଛି ।

ସମ୍ବନ୍ଧିତ ଖବର