ବିଜେପି ମହିଳା ମୋର୍ଚ୍ଚାର ମହାଧିବେଶନ ୩୦ରୁ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଭିନ୍ନ ମହିଳା କଲ୍ୟାଣ ଯୋଜନାର ସଫଳତା ଓ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ପ୍ରସଙ୍ଗ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହାଧିବେଶନ ଆୟୋଜନ କରାଯାଉଛି। ଆସନ୍ତା ୩୦ ଓ ୩୧ ତାରିଖ ଦୁଇ ଦିନ ହେବାକୁ ଥିବା ଏହି ମହାଧିବେଶନରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି। ପୀଡ଼ିତାଙ୍କୁ ପ୍ରଶାସନ ନ୍ୟାୟ ଦେଇପାରୁନି। ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଦଳୀୟ ଭିତ୍ତିରେ ବଣ୍ଟାଯାଉଛି। ରାଜ୍ୟ ସମସ୍ତ ଥାନାରେ ମହିଳା ଅଭିଯୋଗକାରୀଙ୍କ ଏତଲା ରଖାଯାଉ ନାହିଁ ଓ ଅନେକ ସ୍ଥାନରେ ଶାସକ ଦଳ ଚାପରେ ପୀଡ଼ିତା ମହିଳାଙ୍କ ଏତଲା ରୁଜୁ ହେଉ ନାହିଁ। ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିକାଶ, ରୋଜଗାର ଓ ସୁରକ୍ଷା ଆଦିରୁ ବଞ୍ଚିତ ହେଉଛନ୍ତି। ସରକାର ‘ନାରୀକୁ ସମ୍ମାନ’ ନାଁରେ ବଡ଼ ବଡ଼ ହୋର୍ଡିଂ ଲଗାଉଛନ୍ତି। କିନ୍ତୁ ନାରୀକୁ କେତେ ସମ୍ମାନ ମିଳୁଛି, ତାହା ଗଣମାଧ୍ୟମରୁ ଜଣାପଡ଼ୁଛି। ବିଜେପି ପକ୍ଷରୁ କରାଯାଇଥିବା ମହିଳା ସୁରକ୍ଷା ଯାତ୍ରାରେ ୮,୫୫୬ କର୍ମକର୍ତ୍ତା ତୃଣମୂଳ ସ୍ତରରେ ଯୋଡ଼ି ହୋଇଥିଲେ। ଏହି ଯାତ୍ରା ମାଧ୍ୟମରେ ମହିଳାମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ରାଜ୍ୟର ମହିଳାମାନେ କିପରି ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ମହାଧିବେଶନରେ ଆଲୋଚନା ହେବା ସହ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ ହେବ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ସୁଦୀପ୍ତ ରାୟ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର