ଭୁବନେଶ୍ୱର : ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ମହାଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର ଯୋଗ ଦେଇ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିିଥିଲେ। ତୃଣମୂଳ ସ୍ତରରେ ଥିବା ସମସ୍ତ ମହିଳା ଗୋଟିଏ ପ୍ଲାଟ୍ଫର୍ମ ମାଧ୍ୟମରେ ଯୋଡ଼ି ହୋଇ ନିଜର ହକ୍ ସମ୍ପର୍କରେ ଜାଣିବା ଆବଶ୍ୟକ। ସବୁ ବୟସର, ସବୁ ବର୍ଗର ଲୋକଙ୍କ ପାଇଁ ମୋଦୀ ସରକାର ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। ସେହି ଯୋଜନା ସମ୍ବନ୍ଧରେ ଜାଣିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚାଇବା ପାଇଁ ସୋସିଆଲ୍ ମିଡିଆର ବ୍ୟବହାର ଅଧିକ କରିବାକୁ ଶ୍ରୀମତୀ ରାହତକର ଆହ୍ଵାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଶ୍ରୀମତୀ ରାହତକର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ସ୍କୁଟି ଶୋଭାଯାତ୍ରାରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ସେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ସୋସିଆଲ୍ ମିଡିଆର ଗୁରୁତ୍ୱ ସମ୍ପର୍କର ବୁଝାଇବା ସହ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଶ୍ରୀମତୀ ରାହତକର ଭଦ୍ରକର ଚରମ୍ପାଠାରେ ଆୟୋଜିତ ଉଜ୍ଜଳାର ରୋଷେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଆସନ୍ତାକାଲି ମହିଳା ମହାଧିବେଶନର ଦ୍ୱିତୀୟ ଦିନରେ ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ପ୍ରାର୍ଥୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେବେ। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବେ ବୋଲି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଆଜିର ସୋସିଆଲ୍ ମିଡିଆ ବୈଠକରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା, ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ଉପସଭାପତି କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାପାତ୍ର, ଐଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମୀରେଖା ଦାସ, ବବିତା ପାତ୍ର, ସୋସିଆଲ୍ ମିଡିଆର ରାଜ୍ୟ ସଂଯୋଜିକା କସ୍ତୁରୀ ମିଶ୍ର ଓ ସୁଜାତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।