ରାଜ୍ୟରେ ନାରୀ ନିର୍ଯାତନା ବିରୋଧରେ ବିଜେପିର ‘ଚୁଡିପିନ୍ଧା’ ଅଭିଯାନ: ସଚିବାଳୟ ନିକଟରେ ମହିଳା ମୋର୍ଚ୍ଚାର ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ରାଜ୍ୟରେ ମହିଳା ଉପରେ ଅତ୍ୟାଚାର ବଢୁଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଚୁଡି ଧରି ନବୀନ ନିବାସ ଆଡକୁ ଶୋଭାଯାତ୍ରାରେ ବାହାରୁଥିବା ବେଳେ ବାଟ ଓଗାଳିଛି ପୁଲିସ । ଏପିରିକି ଉଭୟ କର୍ମୀ ଏବଂ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା । କର୍ମୀଙ୍କୁ ପୁଲିସ୍ ଅଟକାଇବା ବେଳେ ଆନ୍ଦୋଳନକାରୀମାନେ ପୁଲିସକୁ ବି ଛାଡି ନ ଥିଲେ।

ତେବେ ପୁଲିସ ଉପରକୁ ଚୁଡି ଭିଙ୍ଗିବା ସହ ଠେଲାପେଲା ବି କରିଥିଲେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା । ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ବିଜେପିର ଅଭିଯୋଗ ରହିଛି କି, ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଆଉ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ହୋଇଛନ୍ତି ।

ଉଲ୍ଲେଖ ଥାଉ କି, ଗତ କିଛି ଦିନ ତଳେ ପିପିଲିର ବେବିନା ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି । ମୋର୍ଚ୍ଚାର ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବ୍ୟାନର୍ ନେଇ ନବୀନ ନିବାସ ପାଚେରୀରେ ଲଗାଇବାକୁ ଯାଉଥିଲେ। ତେବେ ପୁଲିସ୍ ସେମାନଙ୍କୁ ଅଟକାଇବା ସହ କିଛି ସମୟ ପାଇଁ ସେଠାରେ ଟଣାଓଟରା ହୋଇଥିଲା। ବିଜେପି ମହିଳା ମୋର୍ଚ୍ଚାର ଏହି ଆନ୍ଦୋଳନକୁ ନଜରରେ ରଖି ସଚିବାଳୟ ଓ ମନ୍ତ୍ରୀ ପ୍ରଦୀନ ମହାରଥୀଙ୍କ ଘର ସାମ୍ନାରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର