ମହାରଥୀଙ୍କ ବିରୋଧରେ ମହିଳା କମିସନ୍‌ରେ ଫେରାଦ ହେଲା ବିଜେପି : ଆଜି ନବୀନ ନିବାସ ଘେରାଉ

ଭୁବନେଶ୍ୱର : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ମହିଳା କମିସନ୍‌ରେ ଫେରାଦ ହୋଇଛି ବିଜେପି। ଦଳର ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ମହିଳା କମିସନ୍‌ ଅଧ୍ୟକ୍ଷାଙ୍କୁ ଭେଟି ମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଶ୍ରୀ ମହାରଥୀ ଏକ ଭିଡିଓରେ ୩୦ ହଜାର ମହିଳାଙ୍କ ଦି’ ଦି’ଟା ହିସାବରେ ୬୦ ହଜାର ସ୍ବାମୀ ଅଛନ୍ତି ବୋଲି କହିଛନ୍ତି। ଏହା ଓଡ଼ିଶା ପରି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟରେ ବସବାସ କରୁଥିବା ମହିଳାଙ୍କୁ ଗଭୀର ଆଘାତ ଲାଗିଛି। ମନ୍ତ୍ରୀଙ୍କ ଏପରି ଅଶାଳୀନ ମନ୍ତବ୍ୟ ସମଗ୍ର ନାରୀ ଜାତି ପ୍ରତି ଅପମାନ। ରାଜ୍ୟ ମହିଳା କମିସନ୍ ମହିଳାଙ୍କ ସୁରକ୍ଷା ଓ ସ୍ବାଭିମାନ ରକ୍ଷା ପାଇଁ କାର୍ଯ୍ୟରତ। ତେଣୁ କମିସନ୍ ତୁରନ୍ତ ମନ୍ତ୍ରୀଙ୍କ ଠାରୁ ରିପୋର୍ଟ ତଲବ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରତିନିଧି ଦଳରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତି ଗିରି, ଐଶ୍ବର୍ଯ୍ୟା ବିଶ୍ବାଳ, ଭୁବନେଶ୍ୱର ଜିଲ୍ଲା ମହିଳା ମୋ‌ର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମଙ୍ଗଳବାର ଦିନ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବ ବୋଲି ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର