ବିଜେପୁର ଉପନିର୍ବାଚନ: ଦିନେ ଦୁଇ ଦିନରେ ବଜେପି କରିବ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆଗାମୀ ଫେବ୍ରୁଆରୀ ୨୪ରେ ହେବାକୁ ଥିବା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବ୍ୟସ୍ତ ହୋଇ ପଡ଼ିଛି। ଭାରତୀୟ ଜନତା ପାର୍ଟି ଦିନେ ଦୁଇ ଦିନରେ ଭିତରେ ବିଧାୟକ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହା ଜଣାପଡ଼ିଛି।

କେନ୍ଦ୍ର ପ୍ରାକୃତିକ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇ ଥିବା ବୈଠକ ପରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଆଶାୟୀ ବିଧାୟକ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ରୀୟ କମିଟିକୁ ପଠାଯାଇଛି। ପ୍ରଚାରରେ କେଉଁ କେନ୍ଦ୍ରୀୟ ନେତା ସାମିଲ ହେବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ରାଜ୍ୟ ବିଜେପି ସଭାପତି ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ୱର୍ଗତ ବିଧାୟକ ସୁବଲ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଆଗାମୀ ଫେବ୍ରୁଆରି ୫ରେ ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠୀ ଓ ବିଜେପୁର ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କ ମଧ୍ୟରୁ କେହି ଜଣେ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର