ଜୁଲାଇ ୬ରୁ ଆରମ୍ଭ ହେବ ବିଜେପିର ‘ସଦସ୍ୟତା ସଂଗ୍ରହ ଅଭିଯାନ’

ରାଜ୍ୟ କାର୍ଯ୍ୟାଳୟରେ ‘ସଦସ୍ୟତା ସଂଗ୍ରହ ଅଭିଯାନ’ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନକୁ ସଠିକ୍‌ ଭାବରେ କ୍ରିୟାନ୍ଵିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଏବଂ ସର୍ବସ୍ଥାନ ବ୍ୟାପୀ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ । ଏହି ସଦସ୍ୟତା ଅଭିଯାନ ଆସନ୍ତା ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ବୋଲି ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ ବୈଠକ ସମାପ୍ତ ପରେ ସୁଚନା ଦେଇ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ କୌଣସି ଭେଦଭାବ ନରଖି ତୀବ୍ର କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ । ଏଥି ସହ ନିଜ ମୋବାଇଲ ନମ୍ବର ‘୮୯୮୦୮-୦୮୦୮୦’ନମ୍ବରରେ ମିସ୍‌ କଲ୍‌ ଦେଇ ସଦସ୍ୟତା ଗ୍ରହଣ କରିପାରିବେ । ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ ।

ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ୍‌, ହାଟ ବଜାର, ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ମିସ୍‌ କଲ୍‌ ଦେବାପାଇଁ କୁହାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।

ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ଓ ରାଷ୍ଟ୍ରୀୟ ସଦସ୍ୟତା ସହ ପ୍ରଭାରୀ ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଜୁଏଲ ଓରାମ, ଗିରିଧର ଗମାଙ୍ଗ, କନକବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ମନମୋହନ ସାମଲ, ଡା.ଦାମୋଦର ରାଉତ, ସୁରମା ପାଢୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ସଦସ୍ୟତା ଅଭିଯାନ ରାଜ୍ୟ ସହପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ପଦାଧିକାରୀ, ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ସମସ୍ତ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର