ଦାମଙ୍କ ଉପରେ ବିଜେପିର ଆକ୍ରମଣ : ଅପାରଗତା ଲୁଚାଇବାକୁ ନାଟକ

ଭୁବନେଶ୍ୱର : ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଗତକାଲି ବିଜେପି ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ। ଆଜି ତାହାର ପାଲଟା ଜବାବ ଦେଇଛନ୍ତି ବିଜେପି। ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଲୁଚାଇବାକୁ ମନ୍ତ୍ରୀ ଦାମୋଦର ରାଉତ ନାଟକ କରୁଛନ୍ତି ବୋଲି ଦଳ ଆକ୍ଷେପ କରିଛି।

ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା, ଓଡ଼ିଆ ଲୋକ ନବୀନ ପଟ୍ଟନାୟକଙ୍କ ଚାରି ଥର ଜିତାଇ ଉତ୍ତମ ଶାସନ ଓ ବିକାଶର ଦାୟିତ୍ୱ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ରାଉତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ନବୀନ ସରକାରଙ୍କ ସଫଳତା ନୁହେଁ, ରାଜନୈତିକ ବୟାନବାଜି କରିଛନ୍ତି। ରାଜନୈତିକ ଦଳ ଭାବେ ବିଜେଡି ଓ ଜଣେ ବିଜେଡି ନେତା ଭାବେ ଦାମ ବାବୁଙ୍କର ରାଜନୈତିକ ପ୍ରଶ୍ନ ଉଠାଇବାର ଅଧିକାର ଅଛି। କିନ୍ତୁ ନିଜର ସରକାରୀ ଦାୟିତ୍ୱ ଭୁଲିଯିବା କେତେଦୂର ଠିକ୍‌ ?

ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଗତକାଲି ବିଜେପି ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ। ଆଜି ତାହାର ପାଲଟା ଜବାବ ଦେଇଛନ୍ତି ବିଜେପି। ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଲୁଚାଇବାକୁ ମନ୍ତ୍ରୀ ଦାମୋଦର ରାଉତ ନାଟକ କରୁଛନ୍ତି ବୋଲି ଦଳ ଆକ୍ଷେପ କରିଛି।

ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଦେଇ ବିଜେପି କହିଛି, ୨୦୦୦ ମସିହାରେ ରାଜ୍ୟରେ ୫ ସଚଳ ଓ ୧୨ ଅଚଳ ଶୀତଳ ଭଣ୍ଡାର ଥିଲା ବେଳେ ୨୦୧୭ରେ ୫ ସଚଳ ଓ ୧୩ ଅଚଳ ଶୀତଳ ଭଣ୍ଡାର ଥିବା ନେଇ ସମବାୟ ମନ୍ତ୍ରୀ ଭାବେ ଦାମ ବାବୁ ବିଧାନସଭାରେ ଉତ୍ତର ଦେଇଛନ୍ତି। ଏଥିରୁ ସରକାରଙ୍କ ପାରିବାର ପଣିଆ ଧରାପଡ଼ିଯାଉଛି। ସେହିପରି କୃଷି କ୍ଷେତ୍ରର ବିକାଶ ପାଇଁ ସରକାର ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାର ୭୦ ପ୍ରତିଶତ ଲୋକ ଚାଷ ଓ ଆନୁଷଙ୍ଗିକ କ୍ଷେତ୍ରରେ ନିର୍ଭର କରୁଥିଲା ବେଳେ ରାଜ୍ୟ ଅର୍ଥନୀତିକୁ ଏହି କ୍ଷେତ୍ରର ଅବଦାନ ମାତ୍ର ୧୫ ପ୍ରତିଶତ। ଋଣ ଓ ଫସଲହାନୀ ପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ସରକାର ସ୍ୱୀକାର କରୁ ନାହାନ୍ତି। ସରକାରୀ ଉଦ୍ୟମ ଅଭାବରୁ ଦୁଗ୍ଧ, ଅଣ୍ଡା, ପିଆଜ ଓ ଆଳୁ ଉତ୍ପାଦନରେ ରାଜ୍ୟ ପଛରେ ପଡ଼ିଯାଇଛି।

ଏହା ବାଦ୍‌ ଅତ୍ୟନ୍ତ ଅସମ୍ମାନଜନକ ଭାବେ ମହିଳାମାନେ ପ୍ରସବ କରୁଛନ୍ତି, ଯାହା କି ରାଜ୍ୟକୁ ଲଜ୍ଜା ଦେଉଛି। ରିହାତି ସୁଧରେ ଏସ୍‌ଏଚ୍‌ଜିମାନଙ୍କୁ ଦିଆଯାଉଥିବା ଋଣ ଟଙ୍କା ସାହୁକାର ପରି ବ୍ୟବହାର ହେଉଛି। ଏସବୁର ଉତ୍ତର ଦାମ ବାବୁ ଦେବାକୁ ବିଜେପି ପକ୍ଷରୁ ଆହ୍ଵାନ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର