ଦଳ ଓ ପଦବିରୁ ଇସ୍ତଫା ଦେଲେ ବିଜେପି ସାଂସଦ

କୃଷକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ

ନୂଆଦିଲ୍ଲୀ: କୃଷକଙ୍କ ସମସ୍ୟା ସମାଧାନରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ମହାରାଷ୍ଟ୍ରର ବିଜେପି ସାଂସଦ ନାନା ପାଟୋଲ୍‌ ଲୋକସଭାର ସାଂସଦ ପଦବି ସମେତ ନିଜ ଦଳ ବିଜେପିରୁ ଇସ୍ତଫା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୃଷକଙ୍କ ଦୁସ୍ଥିତି ସମେତ ସେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣଦେଖା କରୁଥିବା ଅଭିଯୋଗ କରି ପାଟୋଲ୍‌ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି। ସମ୍ପ୍ରତି ଅନ୍ୟ ଦଳର ନେତାମାନେ ବିଜେପିମୁହାଁ ହୋଇଥିବା ବେଳେ ବିଦର୍ଭର ଭଣ୍ଡାରା-ଗୋନ୍ଦିଆ ଲୋକସଭା ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ପାଟୋଲ୍‌ଙ୍କ ଏହି ପଦକ୍ଷେପ କୃଷକମାନଙ୍କ ସଂଗ୍ରାମରେ ଆଦର୍ଶ ସୃଷ୍ଟି କରିଛି।

ସୂଚନା ଥାଉ କି, ତିନି ମାସ ତଳେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଟୋଲ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏପରିକି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୋଦିଙ୍କୁ କହିଲେ ସେ କାନ ଦିଅନ୍ତିନାହିଁ ବୋଲି ପାଟୋଲ୍‌ କହିଥିଲେ। ସେହିପରି ଚାଷୀମାନଙ୍କ ପ୍ରତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଆଦୌ ସମ୍ବେଦନଶୀଳ ନୁହେଁ ବୋଲି ମଧ୍ୟ ସେ ଅଭିଯୋଗ ଆଣିଥିଲେ। ବିଶେଷ କରି ଋଣଛାଡ଼ ଯୋଜନା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟାରେ ଚାଷୀମାନେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇନଥିଲେ। ଦୁଇ ଦିନ ତଳେ ସେ ଆକୋଲା ଠାରେ ଆୟୋଜିତ ଚାଷୀ ବିକ୍ଷୋଭ ସମାବେଶରେ ବିଜେପିର ଅନ୍ୟତମ ବିଦ୍ରୋହୀ ନେତା ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ସହ ଧାରଣାରେ ବସିଥିଲେ। ତେବେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସେ ରଖିଥିବା ଦାବି ପ୍ରତି ତାଙ୍କ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କି ରାଜ୍ୟ ସରକାର କେହି ବି କର୍ଣ୍ଣପାତ ନକରିବାରୁ ସେ ଏପରି ଇସ୍ତଫା ଦେବାକୁ ବାଧ୍ୟ ହେଲେ ବୋଲି ପାଟୋଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର