ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ ଗଣମାଧ୍ୟମକୁ ଆସୁଛି ତାଙ୍କ ବିରୋଧରେ ନୂଆ ନୂଆ ତଥ୍ୟ। ବିଜେପି ସାଂସଦ ନିଶିକାନ୍ତ ଦୁବେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରଠାରୁ ନୂଆ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ୁଛନ୍ତି ମହୁଆ। ଆଜି ତାଙ୍କ ବିରୋଧରେ ତଦନ୍ତ କରିବାକୁ ଲୋକପାଳଙ୍କୁ ପତ୍ର ଲେଖି ଦାବି କରିଛନ୍ତି ସାଂସଦ ଦୁବେ। ସୋସିଆଲ୍ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଲେଖିଛନ୍ତି, ‘ସିବିଆଇ-ସିବିଆଇ ଶୁଣି ଥକି ଗଲିଣି। ଆଜି ଲୋକପାଳଙ୍କ ନିକଟରେ ଅଭିଯୋଗ ଦାଖଲ କଲି। ସାଂସଦ ଓ ମନ୍ତ୍ରୀଙ୍କ ଦୁର୍ନୀତି ଲୋକପାଳ ତଦନ୍ତ କରନ୍ତି, ସିବିଆଇ ତାଙ୍କର ଏକ ମାଧ୍ୟମ।’’
ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷ ଲୋକପାଳଙ୍କୁ ଦିଆଯାଇଥିବା ଅଭିଯୋଗରେ ନିଶିକାନ୍ତ ଦୁବେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନିକଟରେ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ଏକ ଚିଠି ଅଛି, ଯେଉଁଥିରେ ମହୁଆ ମୈତ୍ରଙ୍କ ବିରୋଧରେ ବିସ୍ତୃତ ବିବରଣୀ ରହିଛି। ଅଭିଯୋଗରେ ଦର୍ଶାଯାଇଛି, ‘‘ଦେହେଦ୍ରାଇଙ୍କ ଚିଠିରେ ମହୁଆ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ କିପରି, କେବେ ଏବଂ କେଉଁଠାରେ ଲାଞ୍ଚ ନେଇଥିଲେ ସେ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ଉକ୍ତ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ମହୁଆ ମୈତ୍ର କିପରି ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ପ୍ରଶ୍ନ ପଚାରିବା ଲାଗି ୨ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି।’’
ଦର୍ଶନ ହୀରାନନ୍ଦାନୀଙ୍କ ବ୍ୟବସାୟିକ ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ ମହୁଆ ଏକ ଅପରାଧିକ ଷଡ଼୍ଯନ୍ତ୍ର କରିଥିଲେ ବୋଲି ନିଶିକାନ୍ତ ଦୁବେ ଦାବି କରିଛନ୍ତି । ମହୁଆ ମୈତ୍ରଙ୍କ ବିରୋଧରେ ଦୁବେ କରିଥିବା ଅଭିଯୋଗକୁ ବାଚସ୍ପତି ଓମ୍ ବିର୍ଲା ଏଥିକ୍ସ କମିଟି ନିକଟକୁ ପଠାଇ ଦେଇଥିଲେ | ମହୁଆ ଏହାପରେ ଦୁବେ ଏବଂ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଥିଲେ । ତାଙ୍କୁ ବଦନାମ କରିବା ଅଭିଯୋଗ ମହୁଆ ଆଣିଥିଲେ। ତେବେ ହୀରାନନ୍ଦାନୀ ଗୁରୁବାର ସଂସଦର ଏଥିକ୍ସ କମିଟି ନିକଟରେ ଏକ ସତ୍ୟପାଠ ଦାଖଲ କଲେ ସେତେବେଳେ ଘଟଣା ନୂଆ ମୋଡ଼ ନେଲା। ଏଥିରେ ସେ ଦାବି କରିଥିଲେ ଯେ ମହୁଆ ତାଙ୍କର ସଂସଦୀୟ ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ ତାଙ୍କୁ ଦେଇଥିଲେ ଯାହାଫଳରେ ସେ ତାଙ୍କ ତରଫରୁ ପ୍ରଶ୍ନ ପୋଷ୍ଟ କରିପାରିବେ। ହୀରାନନ୍ଦାନୀ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ, ମହୁଆ ଯୋଜନାବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଆଦାନି ପ୍ରସଙ୍ଗ ଉଠାଉଥିଲେ।