ମେଣ୍ଟର ଲୋକେ ରାଜନୀତି ପାଇଁ ସେନାକୁ ଅପମାନ କରୁଛନ୍ତି: ଅମିତ ଶାହା

ଲକ୍ଷ୍ନୌ: ମେଣ୍ଟରେ ସାମିଲ ଥିବା ଲୋକେ ରାଜନୀତି ପାଇଁ ସେନାକୁ ଅପମାନ କରୁଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଠାରେ ଲୋକସଭା ନିର୍ବାଚନ ୨୦୧୯ ପାଇଁ ନିଜର ପ୍ରଥମ ପ୍ରଚାର ଅଭିଯାନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଏହା କହିଛନ୍ତି। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶାହା କହିଛନ୍ତି, ବହୁ ବର୍ଷ ପରେ ଦେଶକୁ ଏଭଳି ପ୍ରଧାନମନ୍ତ୍ରୀ ମିଳିଛି ଯିଏକି ୨୪ ଘଣ୍ଟା ମଧ୍ୟରେ ୧୯ଟି କାମ କରିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ଛୁଟି ନିଅନ୍ତି ନାହିଁ।

କଂଗ୍ରେସ ଦେଶକୁ ୭୦ ବର୍ଷ ଶାସନ କଲା। ଏହାରି ଭିତରେ ଦେଶର ୫୦ କୋଟି ଗରିବ ଲୋକଙ୍କର ଦୃଦୟଙ୍ଗମ ହୋଇ ନଥିଲା ଯେ, ଦେଶ ସ୍ୱାଧୀନ ହୋଇସାରିଛି। ଉତ୍ତର ପ୍ରଦେଶକୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ୨୦ ବର୍ଷ ଶାସନ କରିଛନ୍ତି କିନ୍ତୁ କିଛି କାମ କରି ନାହାନ୍ତି।

ବିଜେପି ଅଧ୍ୟକ୍ଷ କହିଛନ୍ତି, ଏହି ନିର୍ବାଚନ ଭ୍ରଷ୍ଟାଚାର ବିରୋଧରେ ହେଉଛି। ମୋଦି ସବୁବେଳେ ଦେଶର ବିକାଶ ଚିନ୍ତା କରୁଛନ୍ତି। ଦେଶରେ ଯେଉଁ ମହାମେଣ୍ଟ ପାଇଁ ଦାନା ବାନ୍ଧିଛି, ତାହା କ୍ଷମତା ଏବଂ ସ୍ୱାର୍ଥ ପାଇଁ ବୋଲି ଶାହା କହିଛନ୍ତି।

ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ଅମିତ ଶାହା ମହାମେଣ୍ଟ ଏବଂ କଂଗ୍ରେସକୁ କଡା ଜବାବ ଦେଇଛନ୍ତି। ମହାମେଣ୍ଟ ଏଯାଏଁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ସେ କହିଛନ୍ତି, ମାୟାବତୀ କୁହନ୍ତି ଯେ, ଦେଶରୁ ମୋଦିଙ୍କୁ ବାହାର କରିବା ଦରକାର କିନ୍ତୁ ତାଙ୍କୁ ଯେତେବେଳେ କୁହାଯାଉଛି ଯେ, ସେ (ମାୟାବତୀ) ଉତ୍ତର ଦେଉଛନ୍ତି ନିର୍ବାଚନ ଲଢ଼ିବି ନାହିଁ।

ସମ୍ବନ୍ଧିତ ଖବର