ମାହାଙ୍ଗାରୁ ଶୁଭିବ ପରିବର୍ତ୍ତନର ସ୍ୱର: ଧର୍ମେନ୍ଦ୍ର

ବିଜେପିର ସଂକଳ୍ପ ସମାବେଶ

ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ ବୁଲୁ ପ୍ରଧାନ

କଟକ/ମାହାଙ୍ଗା : ମାହାଙ୍ଗାରୁ ଶୁଭିବ ପରିବର୍ତ୍ତନର ସ୍ୱର। ସାରା ରାଜ୍ୟକୁ ଏହା ବ୍ୟାପିବ। ଆଜିର ଏହି ବିଶାଳ ଜନସମାବେଶ ତାହାର ପ୍ରମାଣ। ରାଜ୍ୟର ପ୍ରବଞ୍ଚକ ସରକାରକୁ ଆଗାମୀ ଦିନରେ ଲୋକେ ଉଚିତ୍‌ ଜବାବ୍‌ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାହାଙ୍ଗାର କୁଆଁପାଳସ୍ଥିତ ବଣୁଆ ମହାପୁରୁଷପୀଠରେ ଆୟୋଜିତ ସଂକଳ୍ପ ସମାବେଶରେ ହଜାର ହଜାର ସମର୍ଥକଙ୍କ ସହ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଶାରଦା ପ୍ରଧାନ (ବୁଲୁ) ବିଜେପିରେ ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଲୁଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଧର୍ମେନ୍ଦ୍ର କହିଲେ ଯେ ନବୀନ ସରକାର ଟଙ୍କିକିଆ ଚାଉଳର ବାହାବା ନେଉଛନ୍ତି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ, ଓଡ଼ିଶା ସରକାର ମାତ୍ର ୨ ଟଙ୍କା ଖର୍ଚ୍ଚ କରୁଛି। ଏଠିକାର ବିଧାୟକ ଏବେ କୁହାଳିଆ ମନ୍ତ୍ରୀ ହୋଇଥିବା ବେଳେ ଏଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ କେତେ ହିତାଧିକାରୀ ଚାଉଳ ପାଉଛନ୍ତି ତାହାର ତାଲିକାକୁ ୨୪ଘଣ୍ଟା ମଧ୍ୟରେ ସାର୍ବଜନୀନ କରିବାର ସତସାହସ ଦେଖାନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ଵାନ ଦେଇଥିଲେ। କୁନ୍ଦୁଲି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଥିଲେ ଯେ ଗୋଟିଏ ସମୟରେ ଅଞ୍ଜନା ମିଶ୍ରଙ୍କ ଅଭିଶାପ ଗୋଟିଏ ସରକାରଙ୍କୁ ଡୁବାଇ ଦେଇଥିଲା। ଏବେ କୁନ୍ଦୁଲି ପୀଡିତାର ଅଭିଶାପ ବିଜେଡି ସରକାରକୁ ଡୁବାଇ ଦେବ। ଆଦର୍ଶ ମୁଖ୍ୟମନ୍ତ୍ରୀର ମୁକୁଟ ପିନ୍ଧୁଥିବା ନବୀନ ପଟ୍ଟନାୟକଙ୍କ ପାଖରେ ଭାବାବେଗର କୌଣସି ମୂଲ୍ୟ ନାହିଁ।

ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିଜର ବନ୍ଧୁ ଭାବେ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଥିଲେ ଯେ ତାଙ୍କ ଉପରେ ବିଜେଡି କର୍ମୀଙ୍କୁ ଲଗାଇ ଯେଉଁଭଳି ଅଣ୍ଡା ମାଡ଼ କରାଯାଇଥିଲା, ତାଙ୍କ ବିରୋଧରେ ଯେଭଳି ତଦନ୍ତ କମିସନ ବସାଗଲା, ସେଥିରୁ ରାଜ୍ୟରେ ଶାସକ ଦଳର ଅସଲ ମୁଖ୍ୟା ଖୋଲି ଯାଇଛି। ରାଜ୍ୟରେ ଚାଷୀମାନେ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ପାଇଁ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ବଜେଟରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦୁଇ ଗୁଣ କରାଗଲା। ଉଜ୍ଜଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଘୋଷଣା କରାଗଲା। କିନ୍ତୁ ଏଭଳି ବଜେଟ୍‌କୁ ନବୀନ ପଟ୍ଟନାୟକ ବିରୋଧ କରୁଛନ୍ତି। ଏହା ସରକାରର କୃଷକ ଓ ଗରିବ ବିରୋଧୀ ନୀତିର ଅସଲ ପରିଚୟ ବୋଲି ଧର୍ମେନ୍ଦ୍ର କହିଥିଲେ।

ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ଶାରଦା ପ୍ରଧାନ ‘ମିଶନ-୧୨୦’ର ଅବତାରଣା କରି କହିଥିଲେ ଯେ ପୂର୍ବଓଡିଶାରେ ୬୦ରୁ ୭୦ ଓ ପଶ୍ଚିମରେ ୬୦/୭୦ ଆସନ ବିଜେପି ଦଖଲ କରିବ। ଏହାର ମୂଳଦୁଆ ମାହାଙ୍ଗା ମାଟିରୁ ପଡିବ ବୋଲି ସେ କହିିଥିଲେ।

ସମାବେଶ ସ୍ଥଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। କଟକରୁ ମାହାଙ୍ଗା ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କଟକ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ ସଂକଳ୍ପ ସମାବେଶରେ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସମୀର ଦେ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରବକ୍ତା ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର, ସାଧାରଣ ସଂପାଦକ କାଳିନ୍ଦୀ ସାମଲ, ପ୍ରଭାରୀ ବିଷ୍ଣୁ ଦାସ, ସାଧାରଣ ସଂପାଦକ ଦିଲ୍ଲୀପ ମଲ୍ଲିକ୍‌, ପ୍ରବକ୍ତା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଉପସଭାପତି ନୟନ କିଶୋର ମହାନ୍ତି, ସମୀର ସାମଲ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବିଶ୍ୱ ମଲ୍ଲିକ, ବିଶ୍ୱଜିତ୍‌ ନାୟକ, ବବିତା ମଲ୍ଲିକ୍‌ ପ୍ରମୁଖ ମଂଚାସୀନ ଥିଲେ। ଶାରଦା ପ୍ରଧାନଙ୍କ ସହ ମାହାଙ୍ଗା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ, ନିଶ୍ଚିନ୍ତ କୋଇଲି ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ କମଳା ବସ୍ତିଆ, ଚାହାପଡା ସରପଞ୍ଚ ସ୍ୱାଗତିକା ମହାନ୍ତି, ସମିତି ସଭ୍ୟା ମମତା ସ୍ୱାଇଁ, ସରପଞ୍ଚ ରମାକାନ୍ତ ବରାଳ, ସମିତି ସଭ୍ୟା ସବିତା ନାୟକ, ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର