ଲକ୍ଷ୍ନୌ ମହାଧିବେଶନରେ ଯୋଗଦେବ ବିଜେପି ଅନୁସୂଚିତ ଜାତି ମୋର୍ଚା

ଭୁବନେଶ୍ବର : ଆସନ୍ତା ଡିସେମ୍ବର ମାସ ୨୨ ଓ ୨୩ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ହେବାକୁ ଥିବା ଅନୁସୂଚିତ ଜାତି ମୋର୍ଚାର ମହାଧିବେଶନରେ ଯୋଗ ଦେବ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚା। ଏହି ଅଧିବେଶନରେ ଯୋଗ ଦେବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହେବା ସହିତ ନଭେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ ମଣ୍ଡଳ ଗଠନ କରି ପ୍ରତି ପଞ୍ଚାୟତରେ ୫ଜଣ ଓ ବୁଥରେ ୨ଜଣ ସଭ୍ୟ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚାର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୋର୍ଚା ସଭାପତି ଗୋବିନ୍ଦ ଦାସଙ୍କ ସଭାପତିରେ ଏହା ଅନୁଷ୍ଠିତ ହୋଇଥିଲା। ଏହାକୁ ରାଜ୍ୟ ବିଜେପି ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଉଦ୍‌ଘାଟନ କରିଥିଲେ। ମୋର୍ଚାର ପ୍ରଗତି ପାଇଁ ପ୍ରତ୍ୟେକ ସଦସ୍ୟଙ୍କୁ ସୈନିକ ଭାବେ ଲଢ଼ିବାକୁ ହେବ। ରାଜ୍ୟରେ ଅନୁସୂଚିତ ଜାତି ମୋର୍ଚା କିପରି ସଂଗଠିତ ହୋଇ ଆଗାମୀ ଦିନରେ କାର୍ଯ୍ୟ କରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ବିକାଶ ବିରୋଧୀ ରାଜ୍ୟ ସରକାରଙ୍କୁ ହଟାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ସିଂହ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ମୋର୍ଚା ପ୍ରଭାରୀ ଦିଲ୍ଲୀପ ମଲ୍ଲିକ, ବିଜେପି ବାର୍ତା ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ମୋର୍ଚା ସଭାପତି ତଥା ବିଧାୟକ ବାଇଧର ମଲ୍ଲିକ, କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ନାୟକ, ଉପସଭାପତି ମନିନ୍ଦର ଆର୍ଯ୍ୟ, ନରି ନାୟକ, ଭାଗୀରଥି ସେଠୀ ଓ ବୃନ୍ଦାବନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୁଶାନ୍ତ ମଲ୍ଲିକ ସଂଯୋଜନା କରିଥିବା ବେଳେ ସଭାପତି ଶ୍ରୀ ଦାସ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର