ରାଜସ୍ଥାନ ଉପନିର୍ବାଚନ : ବିଜେପିକୁ ଝଟ୍‌କା

କଂଗ୍ରେସ ଛଡ଼ାଇନେଲା ୨ଟି ଲୋକସଭା, ଗୋଟିଏ ବିଧାନସଭା ଆସନ

ଜୟପୁର(ରାଜସ୍ଥାନ) : ରାଜସ୍ଥାନରେ ଲୋକସଭାର ଦୁଇଟି ଏବଂ ଗୋଟିଏ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ କ୍ଷମତାସୀନ ବିଜେପିକୁ ଗୁରୁତର ଝଟକା ଲାଗିଛି। ଏହି ତିନିଟି ଯାକ ଆସନକୁ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ। ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଉପନିର୍ବାଚନକୁ ସେମିଫାଇନାଲ ବୋଲି ବିଚାର କରାଯାଉଥିଲା। ଉପନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ଆସନ୍ତା ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ବିଜେପିର ଦୁଇ ଜଣ ଲୋକସଭା ସାଂସଦ ଏବଂ ଜଣେ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ତିନିଟି ଯାକ ଆସନ ଖାଲି ପଡ଼ିଥିଲା। ମନ୍ଦଲଗଡ଼ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିବେକ ଧକଡ଼ ୧୨,୯୭୬ ଭୋଟ୍‌ ବ୍ୟବଧାନରେ ବିଜେପିର ଶକ୍ତି ସିଂହ ହଦାଙ୍କୁ ହରାଇଦେଇଛନ୍ତି। ସେହିପରି ଅଲଓ୍ଵାର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ କରଣ ସିଂହ ଯାଦବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଯଶବନ୍ତ ଯାଦବଙ୍କୁ ପାଖାପାଖି ଲକ୍ଷେ ୯୬ ହଜାର ଭୋଟରେ ହରାଇଦେଇଛନ୍ତି। ଆଜମେର ଲୋକସଭା ଆସନରେ ମଧ୍ୟ କଂଗ୍ରେସର ରଘୁ ଶର୍ମା ବିଜେପି ପ୍ରାର୍ଥୀ ରାମ ସ୍ୱରୂପ ଲାମ୍ବାଙ୍କ ଠାରୁ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଏହି ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଥିବା ବେଳେ କଂଗ୍ରେସ ପାଇଁ ଲୋକଙ୍କ ଭିତରେ ଆସ୍ଥା ଫେରିପାଇବାର ସୁଯୋଗ ରୂପେ ଉଭା ହୋଇଥିଲା। ଏହାକୁ ଉପନିର୍ବାଚନ ନମଣି ପୂର୍ଣ୍ଣମାତ୍ରାର ନିର୍ବାଚନ ଭାବେ ଗ୍ରହଣ କରି ବସୁନ୍ଧରା ରାଜେ ସିନ୍ଧିଆ ଏବଂ ପ୍ରଦେଶ କଂଗ୍ରେସ ସଭାପତି ସଚିନ ପାଇଲଟ୍‌ ପ୍ରଚାରକୁ ଜୋରଦାର୍‌ କରିଥିଲେ। ରାଜ୍ୟରେ ଗୋସୁରକ୍ଷା ନାମରେ ମୁସ୍‌ଲିମ୍‌ଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାରେ ବସୁନ୍ଧରାଙ୍କ ବିଜେପି ସରକାର ବିଫଳ ବୋଲି ଚର୍ଚ୍ଚା ହେଉଥିଲା। ରାଜ୍ୟରେ ଶାସନ ବିରୋଧୀ ହାଓ୍ଵାରୁ ପୂର୍ଣ୍ଣମାତ୍ରାରେ ଫାଇଦା ଉଠାଇବାରେ କଂଗ୍ରେସ ସମର୍ଥ ହୋଇଥିବା ଫଳାଫଳରୁ ସୂଚନା ମିଳିଛି।

କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧୀ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇବା ସହ ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଟ୍ଵିଟରରେ ପ୍ରତିକ୍ରିୟା ରଖିିଛନ୍ତି। ସେହିପରି ରାଜ୍ୟ ଶାସନକୁ କଂଗ୍ରେସର ଫେରିବାର ବେଳ ଉପନୀତ ହୋଇଛି ବୋଲି ପ୍ରଚାର ମଙ୍ଗ ସମ୍ଭାଳିଥିବା ଯୁବନେତା ସଚିନ ପାଇଲଟ କହିଛନ୍ତି। ନିଜ ହାତରୁ ଆସନ ହରାଇ ଶୋଚନୀୟ ପରାଜୟରେ ମର୍ମାହତ ବିଜେପି ପାଇଁ ଆତ୍ମସମୀକ୍ଷାର ବେଳ ଆସିଛି ବୋଲି ରାଜନୀତି ବିଶାରଦମାନେ ମତ ରଖିଛନ୍ତି। ତେବେ ଦଳ ଏଭଳି ପରାଜୟ ପଛର କାରଣ ଅନୁଧ୍ୟାନ କରିବ ବୋଲି ବିଜେପି ନେତା କୈଳାସ ବିଜୟଭର୍ଗୀୟ ମତ ରଖିବା ସହ ଏହି ଫଳାଫଳ ସମଗ୍ର ଚିତ୍ରକୁ ପ୍ରତିଫଳିତ କରିବନି ବୋଲି କହିଛନ୍ତି। ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜକୁ ଦାୟୀ କରିବା ସହିତ ଲୋକଙ୍କ ପାଇଁ ପୂର୍ବଭଳି ସେବା ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର