ବିଜେପିର ଅଭିଯୋଗ: ତେଲ ବାହାନାରେ ଧର୍ମେନ୍ଦ୍ରଙ୍କୁ ବିଜେଡିର ରାଜନୈତିକ ଆକ୍ରମଣ

ଭୁବନେଶ୍ୱର : ତୈଳଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ଆଜି କରିଥିବା ଆନ୍ଦୋଳନକୁ ନିନ୍ଦା କରିଛି ରାଜ୍ୟ ବିଜେପି। ଦଳ ଆରୋପ ଲଗାଇଛି, ବିଜେଡିିର ଏହି ଆନ୍ଦୋଳନ ଓଡ଼ିଆ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। ତେଲ ବାହାନାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଏହା କେବଳ ରାଜନୈତିକ ଆକ୍ରମଣ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ଦେଶର ଖାଉଟିଙ୍କ ପାଇଁ ପେଟ୍ରୋଲ, ଡିଜେଲ୍‌ ଦରରେ ସମତୁଲ ରଖିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦନ ଶୁକ୍ଳରୁ ୨ ଟଙ୍କା ଛାଡ଼ କରିଥିଲେ। ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟଗୁଡ଼ିକୁ ଭାଟ୍‌ କମ୍‌ କରିବା ପାଇଁ ଆହ୍ଵାନ ଦେଇଥିଲେ। ଚାରିଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାନା ଏ ବାବଦରେ ସକରାତ୍ମକ ନିଷ୍ପତ୍ତି ନେବା ପରେ ସୁଦ୍ଧା ଓଡ଼ିଶା ସରକାର ଟଙ୍କାଟିଏ ବି କମ୍‌ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ତେଣୁ ଆଜି ଆନ୍ଦୋଳନ କରିବା ପାଇଁ ଶାସକ ଦଳର ନୈତିକତା ଆସିଲା କେଉଁଠୁ ?

ଦେଶରେ ତୈଳ ଦର କମାଇବା ପାଇଁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍‌ଟିରେ ସାମିଲ୍‌ କରାଯିବା ଜରୁରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ କମ୍‌ କରିବା ପାଇଁ ନେତୃତ୍ୱ ନେବାକୁ ବିଜେପି ଆହ୍ଵାନ ଦେଇଛି। ଗତ ୨୦୧୪ରେ ତୈଳ ଉପରେ ରାଜ୍ୟର ଭାଟ୍‌ ଦର ୨୧.୨ ପ୍ରତିଶତ ଥିଲା ବେଳେ କେଉଁ ଆଧାରରେ ୨୦୧୭ରେ ଭାଟ୍‌ ଦର ବଢ଼ାଇ ରାଜ୍ୟ ସରକାର ୨୬ ପ୍ରତିଶତ କରିଲେ ବୋଲି ଦଳ ପ୍ରଶ୍ନ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର