କେନ୍ଦ୍ରୀୟ ଯୋଜନାକୁ ହଡ଼ପ ପ୍ରତିବାଦରେ ଜନ ଆନ୍ଦୋଳନ

ନିର୍ବାଚନ ପାଇଁ ରାଜ୍ୟ ବିଜେପି ନେତାଙ୍କ ରଣନୀତି

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ନେତାମାନଙ୍କୁ ବିଭିନ୍ନ ସାଂଗଠନିକ କାର୍ଯ୍ୟ ପାଇଁ ଟାର୍ଗେଟ୍‌ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସବୁ କାମ କରିବା ପାଇଁ ଦିଲ୍ଲୀରୁ ରୀତିମତ ତାଗିଦ୍‌ କରାଯାଉଛି। ଏହାକୁ ଲକ୍ଷ୍ୟରେ ରଖି ଆଜି ବିଜେପି ରାଜ୍ୟ ନେତାମାନେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ରଣନୀତି ପ୍ରସ୍ତୁତ କରିଥିଲେ। ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବା ସହ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବା ପ୍ରତିବାଦରେ ଦଳ ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ(ସଂଗଠନ) ସୌଦାନ ସିଂହ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା କିପରି ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ଓ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ କିପରି ନିର୍ବାଚନୀ ରଣନୀତି ପ୍ରସ୍ତୁତି କରାଯିବ, ସେ ନେଇ ସରଗରମ ଆଲୋଚନା ହୋଇଥିଲା।

ବୈଠକ ସମ୍ପର୍କରେ ସୂଚନା ଦେଇ ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଲେ, ରାଜ୍ୟ ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଅଭିଯାନ ଆରମ୍ଭ କରାଯିବ। ଏପିଏଲ୍‌/ବିପିଏଲ୍‌ ନିର୍ବିଶେଷରେ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ରାଜ୍ୟରେ ୪୦ ଲକ୍ଷ ଗୃହକୁ ବିଜୁଳି ଯୋଗାଇ ଦେବାର ନିଷ୍ପତ୍ତି ହୋଇଛି। ଏଥି ସହ ମୋଦୀ ସରକାରଙ୍କ ସମସ୍ତ ଜନହିତକର ଯୋଜନା ତୃଣମୂଳ ସ୍ତରକୁ ନେଇ ପ୍ରକୃତ ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବାର ନିଷ୍ପତ୍ତି ନିଆଯାଇଛି।

ଦଳ ପକ୍ଷରୁ କୁହାଯାଇଛି, ‘ସରକାରୀ ଚୋରି’ କରିବାରେ ବିଜେଡି ସିଦ୍ଧହସ୍ତ। ସମସ୍ତ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଶାସକ ବିଜେଡି ଅତି ଚତୁରତାର ସହ ଚୋରି କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ଆବାସ ଯୋଜନା କିମ୍ବା କେବଳ ଆବାସ ଯୋଜନା କରି ମୂଳ ଯୋଜନାର ଚରିତ୍ର ବଦଳାଇ ଦେଉଛନ୍ତି। ଏହା ଏକ ଅପରାଧ ଅଟେ। ପଣ୍ଡିତ ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନା ପାଇଁ ଆସିଥିବା ଅନୁଦାନର ୫ ପ୍ରତିଶତ ଅର୍ଥ ମଧ୍ୟ ରାଜ୍ୟ ସରକାର ଖର୍ଚ୍ଚ କରିପାରି ନାହାନ୍ତି। କେବଳ କେନ୍ଦ୍ରୀୟ ଅବହେଳା ଅଭିଯୋଗ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ୩୪ ଲକ୍ଷ ହିତାଧିକାରୀ ତାଲିକା ରାଜ୍ୟ ସରକାର କେଉଁଠୁ ଆଣିଲେ ବୋଲି ମଧ୍ୟ ଦଳ ପ୍ରଶ୍ନ କରିଛି।

ଶ୍ରୀ ଷଡ଼ଙ୍ଗୀ ଆହୁରି କହିଥିଲେ, ଶୌଚାଳୟ ନିର୍ମାଣ ପରି ଏକ ଲୋକାଭିମୁଖୀ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆସୁଥିବା ଅନୁଦାନ ଅର୍ଥକୁ ଶାସକ ବିଜେଡିର କର୍ମୀମାନେ ସରକାରୀ ଅଧିକାରୀମାନଙ୍କ ସହାୟତାରେ ହଡ଼ପ କରୁଛନ୍ତି। ମନରେଗା ଅର୍ଥକୁ ମଧ୍ୟ ଶାସକ ବିଜେଡିର ନେତା ଓ କର୍ମୀମାନେ ମିଳିମିଶି ହଡ଼ପ କରୁଛନ୍ତି। ଏହାକୁ ବି କେନ୍ଦ୍ରୀୟ ଅବହେଳା ନାମକରଣ କରି ଶାସକ ବିଜେଡି ନିଜ କର୍ତ୍ତବ୍ୟରୁ ଓହରିଯିବାର ଅପପ୍ରୟାସ କରୁଛି। ଏହି ଅପାରଗ ରାଜ୍ୟ ସରକାର ଗାଦିଚ୍ୟୁତ ନ ହେବା ପର୍ଯ୍ୟନ୍ତ ବିଜେପି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର