ଆଦିବାସୀଙ୍କୁ ବିଜେଡି ଧୋକା ଦେଉଛି: ବିଜେପି

ଭୁବନେଶ୍ୱର : ବିଜେଡି ପକ୍ଷରୁ ଆସନ୍ତାକାଲି ରାଜଧାନୀରେ ଆଦିବାସୀ ପ୍ରତିନିଧି ସମାବେଶ କରାଯାଉଛି। ଏହାକୁ ସମାଲୋଚନା କରିଛି ବିଜେପି। ୧୮ ବର୍ଷର ଶାସନ ଭିତରେ ବିଜେଡି ଆଦିବାସୀଙ୍କର କୌଣସି ବିକାଶ କରି ନାହିଁ। ବରଂ ସବୁବେଳେ ଧୋକା ଦେଇ ଆସିଛି। ନଗଡ଼ାର ଚିତ୍ର, କଳିଙ୍ଗ ନଗର ଆଦିବାସୀଙ୍କୁ ଗୁଳି କରିବା, ମେଳଘରାରେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ମହିଳାଙ୍କୁ ଗୁଳି କରିବା, ଦାନ ମାଝୀ କାନ୍ଧରେ ଶବ ବୁହା ଆଦି ଘଟଣା ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତିକୁ ସ୍ପଷ୍ଟ ଦର୍ଶାଉଛି। ତେଣୁ ଆଦିବାସୀ ସମାବେଶ ନାଁରେ ବିଜେଡି ସେମାନଙ୍କୁ ଭୂଆଁ ବୁଲାଇବାକୁ ହୀନପ୍ରୟାସ କରୁଛି ବୋଲି ବିଜେପି ଆରୋପ ଲଗାଇଛି। ସମାବେଶ ପୂର୍ବରୁ ରାଜ୍ୟର ଆଦିବାସୀ ସମାଜରେ ଥିବା ଗରିବୀ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ବିକାଶ ଓ ଜୀବନ ଜୀବିକା ସମ୍ପର୍କରେ କାହିଁକି ଆଖିଦୃଶିଆ ପ୍ରଗତି ହୋଇ ନାହିଁ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଦଳ ଆହ୍ଵାନ ଦେଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ତଥା ବିଧାୟକ ରବି ନାଏକ କହିଛନ୍ତି, ଓଡ଼ିଶାର ଜନସଂଖ୍ୟାର ୨୩ ପ୍ରତିଶତ ହେଉଛି ଜନଜାତି ସମ୍ପ୍ରଦାୟର। ୬୨ଟି ଜନଜାତି ବର୍ଗ ମଧ୍ୟରୁ ୧୩ଟି ଅତି ବିପଦସଙ୍କୁଳ ବର୍ଗରେ ବସବାସ କରୁଛନ୍ତି। ରାଜ୍ୟର ଆଦିବାସୀମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ସମ୍ପୂର୍ଣ୍ଣ ଜନଜାତି ବର୍ଗରେ ୪୫ ପ୍ରତିଶତରୁ ଅଧିକ ପିଲାଙ୍କର ବୟସ ତୁଳନାରେ ଉଚ୍ଚତା କମ୍‌ ରହିଛି। ରାଜ୍ୟର ଜନଜାତି ଆବାସିକ ବିଦ୍ୟାଳୟରେ ରହୁଥିବା ଆଦିବାସୀ ଝିଅମାନଙ୍କୁ ଦୁଷ୍କର୍ମ କରାଯାଉଛି। ଆଦିବାସୀ ଅର୍ଥନୀତିର ମୁଖ୍ୟ ଲଘୁ ବନଜାତ ଦ୍ରବ୍ୟକୁ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ସତ୍ତ୍ୱେ ଏହାର ଲାଭ ରାଜ୍ୟର ଜନଜାତି ବର୍ଗଙ୍କୁ ମିଳୁ ନାହିଁ। ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରରୁ ଆସୁଥିବା ସ୍କଲାର୍‌ସିପ୍‌ ଓ ଷ୍ଟାଇପେଣ୍ଡ୍‌ ଅର୍ଥକୁ ରାଜ୍ୟ ସରକାର ଠିକ୍‌ ସମୟରେ ପ୍ରଦାନ କରୁ ନାହାନ୍ତି। ଏକଲବ୍ୟ ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ମଧ୍ୟ କେନ୍ଦ୍ରରେ ମୋଦୀ ସରକାର ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ବିନିଯୋଗ କରିପାରୁ ନାହାନ୍ତି। ଆଦିବାସୀଙ୍କ ଉନ୍ନତି ପାଇଁ ଜନଜାତି ଉନ୍ନୟନ ପରିଷଦ ବୈଠକ ବର୍ଷକୁ ଦୁଇ ଥର ବସିବା କଥା। କିନ୍ତୁ ତାହା ନିୟମିତ ହେଉ ନାହିଁ। ଜଙ୍ଗଲ ଅଧିକାର ଆଇନ୍‌ରେ ହଜାର ହଜାର ଦରଖାସ୍ତ ପଡ଼ି ରହିଛି। ତାହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ କରାଇବାକୁ ମୁଖ୍ୟମନ୍ତ୍ରୀ କହୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଏହି ଶ୍ରେଷ୍ଠ ରାଜ୍ୟରେ ଜନଜାତିଙ୍କ ସ୍ଥାନ କେଉଁଠି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଓ ଆଦିବାସୀ ନେତା ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର