ବନ୍ଦ ପାଳନ ବିଜେଡି-କଂଗ୍ରେସର ଯୌଥ ଉଦ୍ୟମ: ବିଜେପି

ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମାଲୋଚନା କରିଛି ରାଜ୍ୟ ବିଜେପି। ଏହି ବନ୍ଦ ଡାକରା କେବଳ କଂଗ୍ରେସ ନୁହେଁ, ବିଜେଡି ଓ କଂଗ୍ରେସର ଯୌଥ ଉଦ୍ୟମ ବୋଲି ଦଳ ଆରୋପ ଲଗାଇଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଧାନସଭାରେ କଂଗ୍ରେସର ବନ୍ଦକୁ ସମର୍ଥନ କରିବା ପାଇଁ ବିରୋଧୀ ଦଳ ନେତା ଅନୁରୋଧ କରିଥିଲେ। ସରକାର କାଳବିଳମ୍ବ ନ କରି ସ୍କୁଲ୍‌, କଲେଜ ବନ୍ଦ ଘୋଷଣା କରି ରାଜ୍ୟ ସରକାରଙ୍କ ସମର୍ଥନକୁ ବ୍ୟକ୍ତ କଲେ। ବିଶ୍ୱ ବଜାରର ସ୍ଥିତି କାରଣରୁ ଦେଶରେ ତୈଳ ଦର ବୃଦ୍ଧି ନେଇ ବିଜେପି ବି ଚିନ୍ତିତ। ମାତ୍ର ସାଧାରଣ ଖାଉଟିଙ୍କ ସୁବିଧା ପାଇଁ ନୁହେଁ, ବରଂ ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ଅଘୋଷିତ ମେଣ୍ଟ କରିଛନ୍ତି।

ବିଜେପି ଆହୁରି ଅଭିଯୋଗ କରିଛି, ୨୦୧୪ରେ ତୈଳରୁ ରାଜ୍ୟ ସରକାରଙ୍କ ଭାଟ୍‌ ୩ ହଜାର କୋଟି ପାଉଥିଲା ବେଳେ ୨୦୧୮ ସୁଦ୍ଧା ତାହା ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହା ଦେଶର କୌଣସି ବି ରାଜ୍ୟ ତୁଳନାରେ ସର୍ବାଧିକ। ଯଦି ଖାଉଟିଙ୍କ ସ୍ୱାର୍ଥ ପାଇଁ ଚିନ୍ତା ଥାଆନ୍ତା, ତାହା ହେଲେ ବିଜେଡି ସରକାର ରାଜ୍ୟରେ ତୈଳ ଟିକସ କମ୍‌ କରି ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥା’ନ୍ତା। ଅପର ପକ୍ଷରେ କଂଗ୍ରେସ ଶାସନ କାଳରେ ତୈଳ ବଣ୍ଡ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଋଣ କରି ଦେଶର ଭବିଷ୍ୟତ ପିଢ଼ି ଉପରେ ୨୦୨୫ ମସିହା ପର୍ଯ୍ୟନ୍ତ ବଡ଼ ଆର୍ଥିକ ବୋଝ ଲଦିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର