ବିଜେପି ଟାର୍ଗେଟ୍‌ରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି

ରାଜ୍ୟପାଳଙ୍କୁ ଦିଆଗଲା ସ୍ମାରକପତ୍ର

ଭୁବନେଶ୍ୱର : ଗଞ୍ଜାମ ପରେ ଏବେ ବିଜେପି ଟାର୍ଗେଟ୍‌ରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି। ଏହି ଦୁଇ ଅଧିକାରୀ ଏବେ ବିଜେଡିର ଦଳୀୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ବିଜେପି ଆରୋପ ଲଗାଇଛି। ବିଜେପିର ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଜିଲ୍ଲାପାଳଙ୍କ ଦୁର୍ବବ୍ୟହାର ନେଇ ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଲେ, ଗତ ନଭେମ୍ବର ୮ ତାରିଖରେ ମୟୂରଭଞ୍ଜରେ ଜିଲ୍ଲା ପରିଷଦ ସଭା ଚାଲିଥିଲା ବେଳେ ଖୋଦ୍‌ ଜିଲ୍ଲାପାଳ ବିଜେପି ନିର୍ବାଚିତ ଜିଲ୍ଲା ପରିଷଦମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷା ବ୍ୟବହାର କରିଛନ୍ତି। ଏପରିକି ଶାସକ ଦଳର ବରିଷ୍ଠ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଗୋଇଠା ମାଡ଼ରେ ଗୁରୁତର ଆହତ ହୋଇ ଦୁଇ ଜଣ ଆଦିବାସୀ ସଦସ୍ୟା ସାରିନା ହେମ୍ବ୍ରମ୍‌ ଓ ଗୀତା ହେମ୍ବ୍ରମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ସେମାନଙ୍କ ଏତଲା ଗ୍ରହଣ କରୁ ନାହିଁ। ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜଣେ ଆଦିବାସୀ ହୋଇଥିବାରୁ ତାଙ୍କ ପ୍ରତି ଜିଲ୍ଲାପାଳଙ୍କ ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ।

ଜିଲ୍ଲାପାଳଙ୍କ ଅସହଯୋଗ କାରଣରୁ ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ କାର୍ଯ୍ୟ କରିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଯଦି ସରକାର ଆଗାମୀ ଦିନରେ ପୁଣି ପ୍ରଶାସନକୁ ବ୍ୟବହାର କରି ଏକ ନିର୍ବାଚିତ ପରିଷଦକୁ ତା’ର କାର୍ଯ୍ୟ କରିବାରେ ପ୍ରତିରୋଧ କରନ୍ତି, ତେବେ ତାହା ବିରୋଧରେ ବିଜେପି ଦୃଢ଼ ଜବାବ ଦେବ ବୋଲି ଦଳ ଚେତାବନୀ ଦେଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ୍‌, ବ୍ରଜମୋହନ ବେହେରା ଓ ଗିରିଶ ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର