ଭୁବନେଶ୍ୱର : ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରେ ଆଉ ଜଣେ ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ବାଚନ ଦାୟିତ୍ୱରେ ଥିବା ପୁଲିସ୍‌ଙ୍କୁ ପ୍ରଭାବିତ କରି ବିଜେଡିକୁ ସୁହାଇଲା ପରି କାମ କରାଉଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

Advertisment

ବିଜେପିର ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲାର ତେଲ ମହୁଲ ଛକ ହେଉଛି ପଦ୍ମପୁର ଆଡ଼ୁ ଉଭୟ ବିଜେପୁର ଓ ଗାଏସିଲଟ ବ୍ଲକ୍‌କୁ ଯିବା ପାଇଁ ମୁଖ୍ୟ ପ୍ରବେଶ ପଥ। ଏହି ଛକରେ ପୁଲିସ ବିଭାଗ ପକ୍ଷରୁ ଏକ ଯାଞ୍ଚ୍‌ ଫାଟକ ଥିଲେ ମଧ୍ୟ ସେଠି ପୁଲିସ୍‌ ମୁତୟନ ନାହାନ୍ତି। ପୁଲିସ୍‌ ଅନ୍ୟ ସ୍ଥାନଗୁଡ଼ିକରେ ଯାଞ୍ଚ୍‌ କରିବା ଆଳରେ ବିଜେଡି ଗାଡ଼ିକୁ ଯିବାକୁ ଦେଉଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସମର୍ଥକମାନଙ୍କ ଗାଡ଼ି ଅଟକାଉଛି। ଦଳ ଦାବି କରିଛି, ତୁରନ୍ତ ତେଲ ମହୁଲ ଛକରେ ସିସିଟିଭି କ୍ୟାମେରା ଲଗାଯାଉ। ଏଥି ସହ ସେହି ସ୍ଥାନରେ ୨୪ ଘଣ୍ଟିଆ ପୁଲିସ୍‌ ମୁତୟନ ସହ ନିୟମିତ ଯାଞ୍ଚ୍‌ର ବ୍ୟବସ୍ଥା କରାଯାଉ। ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଅଫିସର୍‌ଙ୍କ ନାଁକୁ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ସୂଚିତ କରାଯାଉ। ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ ଦାସ, ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍‌ ରାଜେନ୍ଦ୍ର କୁମାର ଓ ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ୍‌ ହୋଇଥିଲେ।