ନୂଆଦିଲ୍ଲୀ: ଓଡ଼ିଶାର ବିଜେପୁରରେ ଆସନ୍ତା ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଶାସନ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଞ୍ଝା ଚରମ ସୀମାରେ ପହଞ୍ଚିଛି । ନିର୍ବାଚନ ଜିତିବା ପାଇଁ ବିଜେଡ଼ି ଶାସନ କଳର ଅପବ୍ୟବହାର କରୁଛି ବୋଲି ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦଳର ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳି ଆଜି ଏଠାରେ ମୁଖ୍ୟ ନିର୍ବାଚନ କମିସନର ଓମ ପ୍ରକାଶ ରାଓ୍ଵତଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ନିର୍ବାଚନମଣ୍ଡଳୀର ସବୁ ବୁଥକୁ ସଂବେଦନଶୀଳ ଘୋଷଣା କରିବାକୁ ଦଳ ଦାବି କରିଛି ।  ଆହୁରି ମଧ୍ୟ ପ୍ରାୟ ୧୫ଶହ କୋଟି ଟଙ୍କାର ପାଣ୍ଠି ବିନା ଟେଣ୍ଡରେ ଖର୍ଚ୍ଚ କରିବା ପାଇଁ ଯୋଜନା ଚାଲିଛି, ଯାହାକି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ଦଳ ଆଶଙ୍କା କରିଛି । ଏଣୁ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ ଦଳର ମୁଖପାତ୍ର ସଂବିତ ପାତ୍ର, ଭୁପେନ୍ଦ୍ର ଯାଦବ, ଓମ ପାଠକ ଓ ଅରୁଣ ସିଂ ଥିଲେ ।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସଂବିତ ପାତ୍ର କହିଛନ୍ତି ଯେ ବିଜେପୁରରେ ଜନମତ ଏବେ ବିଜେପି ସପକ୍ଷରେ ଅଛି । ଏକଥା ଶାସକ ବିଜେଡ଼ି ଜାଣିଥିବାରୁ ଶାସନକଳର ଅପବ୍ୟବହାର କରିବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ନିୟମିତଭାବେ ବିଜେପୁର ଗସ୍ତ କରି ବିଜେଡ଼ି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ଏଣୁ ନିରପେକ୍ଷ ନିର୍ବାଚନ ପାଇଁ ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ତୁରନ୍ତ ବଦଳି କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।