ନୂଆଦିଲ୍ଲୀ : ହରିୟାଣାରେ ଏଥର ଝୁଲା ବିଧାନସଭା ହେବା ସ୍ପଷ୍ଟ ହୋଇଯାଇଛି । ବିଜେପି ସର୍ବାଧିକ ୪୦ ଟି ଆସନ ହାସଲ କରିଛି । କଂଗ୍ରେସ ୩୧ ଟି ଆସନରେ ବିଜୟୀ ହୋଇଛି ଅଥବା ଆଗୁଆ ଅଛି । ଇତି ମଧ୍ୟରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Advertisment

ଏକକ ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ଥରେ ସରକାର ଗଠନ ଲାଗି ଦାବି କରିବାକୁ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ବିଜେପି କର୍ଣ୍ଣାଟକ ନିର୍ବାଚନ ପରେ ଯେଉଁ ଭୁଲ କରିଥିଲା ତାହା ନ ଦୋହରାଇବାକୁ ଉଦ୍ୟମ କରୁଛି । ଦଳ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏକ ବୈଠକରେ ସ୍ଥିତିର ସମୀକ୍ଷା କରୁଛନ୍ତି । ଏକ ଟ୍ଵିଟ କରି ସେ କହିଛନ୍ତି ଯେ “ ଗତ ୫ ବର୍ଷରେ ଖଟ୍ଟର ସରକାର ରାଜ୍ୟର ଉନ୍ନତି ଲାଗି ଉଦ୍ୟମ କରିଥିଲେ । ଏଥର ମଧ୍ୟ ଜନତା ବୃହତ୍ତମ ଦଳଭାବେ ପୁଣି ବିଶ୍ୱାସ ପ୍ରକଟ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।” ବିଜେପିର ଚାଣକ୍ୟ କୁହାଯାଉଥିବା ଶାହାଙ୍କ ଏହି ଟ୍ଵିଟରୁ ବିଶ୍ୱାସ କରାଯାଉଛି ଯେ ବିଜେପି ପରବର୍ତ୍ତି ସରକାର ଗଢିବା ଲାଗି ନିଜର ଉଦ୍ୟମରେ ସଫଳ ହେବାକୁ ଯାଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୦ଟି ଆସନ ପାଇଁ କିଙ୍ଗମେକର ମାନ୍ୟତା ପାଇଥିବା ଦ୍ୟୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ବିଜେପିକୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଜେଜେପି ସମର୍ଥନ କଲେ ବିଜେପି ସରକାର ଗଢିବା ନେଇ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ।