ତ୍ରିପୁରାରେ ବିଜେପି ଜିତିବ! ଏକଜିଟ୍‌ ପୋଲ୍‌ ସର୍ଭେ

ନୂଆଦିଲ୍ଲୀ: ପୂର୍ବରୁ ତ୍ରିପୁରା ପାଇଁ ଏବଂ ଆଜି ମେଘାଳୟ ଓ ନାଗାଲାଣ୍ଡ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ହୋଲି ପରେ ଆସନ୍ତା ୩ ତାରିଖରେ ଜଣାପଡ଼ିବ। ତେବେ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ବୁଥ୍‌ ବାହୁଡ଼ା ମତ ବା ଏକଜିଟ ପୋଲ ସର୍ଭେରେ ତିନିଟି ଯାକ ରାଜ୍ୟରେ ଶାସନ-ବିରୋଧୀ ଫଳାଫଳ ସ୍ପଷ୍ଟ ହୋଇଥିବା ବେଳେ ବିଜେପି ପାଇଁ ଆଗୁଆ ହୋଲି ପାଳିବାର ଅବସର ଆଣିଦେଇଛି। ତ୍ରିପୁରାରେ ଦୀର୍ଘ ୨୫ ବର୍ଷ କାଳ ଶାସନ କରୁଥିବା ବାମ ସାମ୍ମୁଖ୍ୟ ହାତରୁ ଶାସନ କ୍ଷମତା ବିଜେପି ଛଡ଼େଇନେବ ବୋଲି ନ୍ୟୁଜ୍‌ ଏକ୍ସ ର୍ପୂୂବାନୁମାନ କରିଛି। ମୋଟ ୬୦ ଆସନରୁ ବିଜେପି ଓ ଆଇପିଏଫ୍‌ଟି ମେଣ୍ଟକୁ ଏହି ସର୍ବେକ୍ଷଣ ୩୫ରୁ ୪୫ ଆସନ ମିଳିବ ବୋଲି କହିଥିବା ବେଳେ ସିପିଆଇ(ଏମ୍‌)କୁ ୧୪ରୁ ୨୩ ଆସନରେ ସୀମିତ ରଖିଛି। ସେହିପରି ଆକ୍ସିସ ମାଇଁ ଇଣ୍ଡିଆ ଓ ନ୍ୟୁଜ୍‌୨୪ ପକ୍ଷରୁ ବିଜେପି ମେଣ୍ଟ ପାଇଁ ୪୫ରୁ ୫୦ ଆସନ ଦିଆଯାଇଥିବା ବେଳେ ବାମ ସାମ୍ମୁଖ୍ୟକୁ ୯ରୁ ୧୦ ଆସନ ମିଳିବ ବୋଲି କୁହାଯାଇଛି। ଅପରପକ୍ଷେ, ସି-ଭୋଟର ପକ୍ଷରୁ ବିଜେପିକୁ ୨୪ରୁ ୩୨ ଆସନ ଓ ବାମ ସାମ୍ମୁଖ୍ୟକୁ ୨୬ରୁ ୩୨ ଆସନ ମିଳିବ ବୋଲି କୁହାଯାଇଛି। ସେହିପରି ନାଗାଲାଣ୍ଡରେ ନିର୍ବାଚନ ହୋଇଥିବା ୫୯ ଆସନରୁ ବିଜେପି-ଏନ୍‌ଡିପିପି ମେଣ୍ଟ ପାଇଁ ନ୍ୟୁଜ୍‌ ଏକ୍ସ ୨୭ରୁ ୩୨ ଆସନ ପରିକଳ୍ପନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଜେଲିଆଙ୍ଗ୍‌ ନେତୃତ୍ୱାଧୀନ ଏନ୍‌ପିଏଫ୍‌ ପାଇଁ ୨୦ରୁ ୨୫ ଆସନ ମିଳିବ ବୋଲି କହିଛି। ସେହିପରି ସିଭୋଟର ସର୍ବେକ୍ଷଣରେ ମଧ୍ୟ ବିଜେପି ମେଣ୍ଟକୁ ୨୫ରୁ ୩୧ ଆସନ ମିଳିଥିବା ବେଳେ ଏନ୍‌ପିଏଫ୍‌କୁ ୧୯ରୁ ୨୫ ଭିତରେ ରଖାଯାଇଛି। ଅପରପକ୍ଷେ, ମେଘାଳୟରେ ୧୦ ବର୍ଷ ଧରି ଶାସନ କରୁଥିବା କଂଗ୍ରେସକୁ ଏଥର ଗାଦି ଛାଡ଼ିବାକୁ ପଡ଼ିବ ବୋଲି କୁହାଯାଇଛି। ଆକ୍ସିସ ମାଇ ଇଣ୍ଡିଆ ଓ ନ୍ୟୁଜ୍‌ ୨୪ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ବିଜେପି ଓ ସହଯୋଗୀଙ୍କୁ ୩୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ୨୦ ଆସନରେ ସୀମିତ କରାଯାଇଛି। ନ୍ୟୁଜ୍‌ ଏକ୍ସ ସର୍ବେକ୍ଷଣରେ ବିଜେପିକୁ ୮ରୁ ୧୦ ଆସନ, କଂଗ୍ରେସକୁ ୧୩ରୁ ୧୭ ଆସନ ଓ ଏନ୍‌ପିପିକୁ ୧୭ରୁ ୨୩ ଆସନ ମିଳିବ ବୋଲି କୁହାଯାଇଛି। ସିଭୋଟର ପକ୍ଷରୁ ମଧ୍ୟ ଏନ୍‌ପିପିକୁ ସର୍ବାଧିକ ୧୭ରୁ ୨୩ ଆସନ ମିଳିବ ବୋଲି କୁହାଯାଇଥିବା ବେଳେ ବିଜେପି ପାଇଁ ୪ରୁ ୮ ଏବଂ କଂଗ୍ରେସ ପାଇଁ ୧୩ରୁ ୧୯ ଆସନ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର