ଶହ ଶହ ଚାଷୀଙ୍କ ସହ ବିଜେପିର ସଚିବାଳୟ ଘେରାଉ ଉଦ୍ୟମ; ଅଟକାଇଲା ପୁଲିସ୍

ଭୁବନେଶ୍ବର : ଗୋଟିଏ ପଟେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଜେଡି ଏକ ବିଶାଳ ସମାବେଶ କରିଥିବା ବେଳେ ଏପଟେ ରାଜ୍ୟ ସଚିବାଳୟ ଘେରାଉ କରିଛି ବିଜେପି କୃଷକ ମୋର୍ଚ୍ଚା । ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଘେରାଉ କରିଛି ବିଜେପି । ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ସରକାର ଧାନ କିଣି ପାରୁ ନାହାଁନ୍ତି ବୋଲି ବିଜେପି ଦାବି କରିଛି । ଏହା ସହ ଦିଲ୍ଲୀରେ ବିଜେଡିର ପ୍ରତିବାଦକୁ ସମାଲୋଚନା ମଧ୍ୟ କରିଛି ଦଳ ।

ତେବେ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସଚିବାଳୟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବଳୟକୁ ଭାଙ୍ଗି ବିକ୍ଷୋଭକାରୀ ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଏହି  ପରିପେକ୍ଷୀରେ ଉଭୟ ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି ।

ଉଲ୍ଲେଖ ଥାଉ କି, ଚାଷୀ ପ୍ରସଙ୍ଗକୁ ନେଇ ଆଜି ଦିଲ୍ଲୀ ଦରବାରରେ ଦମ୍ ଦେଖାଇଛି ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଶାଳ ସମାବେଶ କରିଛି ବିଜେଡ଼ି । ବିଜେଡ଼ି ସମାବେଶର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚାଷୀଙ୍କ ହକ ପାଇଁ ଦିଲ୍ଲୀ ଦରବାରରେ ହେଉଥିବା ବିକ୍ଷୋଭ ସାମିଲ ହୋଇଛନ୍ତି ବିଜେଡିର ସମସ୍ତ ବିଧାୟକ ଓ ସାଂସଦ । ତେବେ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର