୨୭୦ ବୁଥ୍‌ରେ ‘ମନ୍‌ କି ବାତ୍‌’ ଶୁଣାଇବାକୁ ପ୍ରସ୍ତୁତି

ବିଜେପିର ବିଜେପୁର ଅଭିଯାନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ନୂଆ ବର୍ଷରୁ ବିଜେପୁର ଅଭିଯାନ ଆରମ୍ଭ କରିବ। ଆସନ୍ତା ୩୧ ତାରିଖରେ ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ବିଜେପୁରର ୨୭୦ ବୁଥ୍‌ରେ ଜନତାଙ୍କୁ ଶୁଣାଇବା ପାଇଁ ଦଳ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ପ୍ରତିଟି ବୁଥ୍‌ରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ରେଡିଓ ମାଧ୍ୟମରେ କାର୍ଯ୍ୟକ୍ରମ ଶୁଣାଇବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ଏହା ସହ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ମଧ୍ୟ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମ ଶୁଣିବା ପରେ ବିଜେପି ପଦାଧିକାରୀମାନେ ବୁଥ୍‌ରେ ଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ, ପଦାଧିକାରୀମାନେ ବିଜେପୁରରେ ସାଧାରଣ ଜନତାଙ୍କ ସହ ରହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବେ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର