ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ : ଜେ.ପି. ନଡ୍ଡା

ବିଜେପିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି । ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ବିଜେପିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଡ. ଜଗତ ପ୍ରକାଶ ନଡ୍ଡା ।

କୋଭିଡ ସଙ୍କଟ ସମୟରେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫୁ’  ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି । କୋଭିଡ ଟେଷ୍ଟିଂ ସଂଖ୍ୟା ପ୍ରତିଦିନ ୧୫୦୦ରୁ ୧୦ଲକ୍ଷ୧୦ ହଜାରକୁ ବୃଦ୍ଧି, ଦେଶରେ ୧୫୦୦ରୁ ଉଦ୍ଧ୍ୱର୍ କୋଭିଡ ହସ୍ପିଟାଲ ସହ ୨ ଲକ୍ଷ ଶଯ୍ୟା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇପାରିଛି । ସ୍ୱାସ୍ଥ୍ୟ ସେବା ପାଇଁ ପିପିଇ କିଟ୍ ଭାରତରେ ଉତ୍ପାଦନ ହେଉନଥିବାବେଳେ ବର୍ତମାନ ପ୍ରତିଦିନ ୪ ଲକ୍ଷ ୫୦ ହଜାର ପିପିଇ କିଟ୍ ପ୍ରସ୍ତୁତ ହେଉଛି । କରୋନାରୁ ଏବେ ଦେଶରେ ୭୪. ୩୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି । ଏହା ନିଶ୍ଚିତ ଭାବେ ଆଶ୍ୱସ୍ତ ପ୍ରଦାନ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ କାର୍ଯ୍ୟକର୍ତାମାନେ ‘ଭୋକାଲ ଫର୍ ଲୋକାଲ’ ହୁଅନ୍ତୁ । ପିପିଲିର ଚାନ୍ଦୁଆ, ରାଘୁରାଜପୁର ପଟ୍ଟଚିତ୍ର ଓ ବୟନଶିଳ୍ପକୁ ଗ୍ଲୋବାଲ କରିବା ଦରକର । ଆଗାମୀ ଦିନେର ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବାର ସଂଯୋଗୀ କରଣ କରି ଡିଜିଟାଲ ଗାଁ ନିର୍ମାଣ ହେବ । କରୋନା ସଙ୍କଟ ସମୟରେ ରାଜ୍ୟ ବିଜେପି କାର୍ଯ୍ୟକର୍ତାମାନେ ୬ ଲକ୍ଷ ୯୦ ହଜାର ରାସନ କିଟ, ୭ଲକ୍ଷ ସାନିଟାଇଜର ଏବଂ ସାଢେ ୫ ଲକ୍ଷ ମାସ୍କ ବଂଟନ କରିବା କାର୍ଯ୍ୟକୁ ଶ୍ରୀ ନଡ୍ଡା ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୪୫୧ କି.ମି ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର ଉପକୂଳ ସଡକ ପଥ ନିର୍ମାଣ ପାଇଁ ୯ ହଜାର କୋଟି, ୨୯୦ କି.ମି. ଦୀର୍ଘ ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୫୧ କୋଟି, କଟକ- ଅନୁଗୁଳ-ସମ୍ବଲପୁର ଜାତୀୟ ରାଜରାସ୍ତା-୫୫ ପାଇଁ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଭୁବନେଶ୍ୱରରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ହେବା କାରଣରୁ ସାଧାରଣ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟସରକାର ନିଜ ନାଁରେ ନାମିତ କରି ଓଡିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗରିବ କଲ୍ୟାଣ ଯୋଜନା, ଆତ୍ନନିର୍ଭର ଭାରତ ଯୋଜନାରେ ନିଜ ନାଁ ଲଗାଇ ପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ । କେନ୍ଦ୍ର ସରକାର ଯୋଜନାରେ ରାଜ୍ୟସରକାର ଓ ବିଜେଡି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି । ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖୁଛନ୍ତି ରାଜ୍ୟସରକାର । ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କଲେ ରାଜ୍ୟର ୨ କୋଟି ୪୦ ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ନିଜ ଉପରେ ଏବଂ ନିଜ କର୍ତବ୍ୟ, ଯୋଗ୍ୟତା ଉପରେ ବିଶ୍ୱାସ ରଖି କାର୍ଯ୍ୟକର୍ତାମାନେ ନିଜକୁ ପରିପକ୍ୱ କରିବା ଆବଶ୍ୟକ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଶ୍ରୀ ନଡ୍ଡା ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ଦିଲ୍ଲୀରୁ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ଓଡିଶା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ୍ ପାତ୍ର, ଭୁବନେଶ୍ୱରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର